Odia News Portal

ମେ 29ରେ ଓଟିଇଟି, ଆସନ୍ତା 26ରୁ କରି ପାରିବେ ଆବେଦନ

ଆସନ୍ତା ମେ 29 ତାରିଖରେ ବର୍ଷ 2026 ପାଇଁ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀ ମାନେ ଆସନ୍ତା 26 ତାରିଖରୁ ଅନଲାଇନରେ ଆବେଦନ କରି ପାରିବେ । ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଏହି ଆବେଦନର ଅବଧି ରହିଛି । ଆବେଦନ ପ୍ରକ୍ରିୟା ପାଇଁ 26 ତାରିଖ ଦିନ ହିଁ ବୋର୍ଡ ପକ୍ଷରୁ ଲିଙ୍କ୍ ପ୍ରଦାନ କରାଯିବ । ସେହିପରି ଉଭୟ ଇନସର୍ଭିସ ଶିକ୍ଷକ ଏବଂ ନୂଆ ପ୍ରାର୍ଥୀ ମାନେ ଏହି ପରୀକ୍ଷା ପାଇଁ ଆବେଦନ କରି ପାରିବେ ।ମେ 29 ତାରିଖ ଦିନ ହିଁ ଦୁଇଟି ଯାକ ପେପରର ପରୀକ୍ଷା ହେବ । ପେପର 1 ପାଇଁ ସକାଳ 9 ଟାରୁ ଦିନ 11ଟା 30 ମିନିଟ ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇ ଥିବା ବେଳେ ପେପର 2 ପାଇଁ ଅପରାହ୍ନ 2 ଟାରୁ 4ଟା 30 ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି । 150 ମାର୍କ ବିଶିଷ୍ଟ ଏହି ପରୀକ୍ଷାକୁ OMR ଦ୍ଵାରା କରାଯିବ ।ସେହିପରି ଆସନ୍ତା ଏପ୍ରିଲ 15 ତାରିଖ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ପାଇ ପାରିବେ । ବୋର୍ଡ ୱେବ୍ସସାଇଟ www.bseodisha.nic.inରେ ଆବେଦନ କରିବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଏନେଇ ସଭାପତି କହିଛନ୍ତି ଯେ,”ପ୍ରତ୍ୟକ ବର୍ଷ ପରି ଏହି ବର୍ଷ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଆଶାୟୀମାନଙ୍କ ପାଇଁ ଏହି ସୁଯୋଗ ଦିଆଯିବ । ଗତ ବର୍ଷ ପରି ଏଥର ମଧ୍ୟ ଏହି ପରୀକ୍ଷାକୁ କିପରି ଶାନ୍ତି ଶୃଙ୍ଖଳାର ସହ କରାଯିବ, ସେନେଇ ବୋର୍ଡ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ।”ଗତ ଫେବୃଆରୀ 15 ତାରିଖରେ ପ୍ରକାଶ ପାଇଥିଲା ଗତବର୍ଷ ଓଟିଇଟି (OTET) ପରୀକ୍ଷାର ଫଳ । ଯେଉଁଥିରେ ପ୍ରଥମ ପେପରରେ 71.16 ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଦ୍ବିତୀୟ ପେପରରେ 68.06 ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ଗତବର୍ଷ ମୋଟ 1 ଲକ୍ଷ 60 ହଜାର 420 ଜଣ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ 1 ଲକ୍ଷ 53 ହଜାର 747 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ସେଥି ମଧ୍ୟରୁ 1 ଲକ୍ଷ 6 ହଜାର 41 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ମୋଟ୍ ପାସ୍ ହୋଇଥିବା ପରୀକ୍ଷାର୍ଥୀଙ୍କ ହାର 68.97 ପ୍ରତିଶତ ରହିଥିଲା ।