ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୨୦୨୬-୨୭ ବର୍ଷ ପାଇଁ ନୂଆ ବିଦ୍ୟୁତ ଦର ଘୋଷଣା କରିଛନ୍ତି । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ନୂଆ ନିୟମରେ ୧୫ଟି ବଡ଼ ମୁଖ୍ୟ କଥା ରହିଛି । ପ୍ରଥମ, ଦର ବଢ଼ିବ ନାହିଁ । ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ ରେ କୌଣସି ବୃଦ୍ଧି କରାଯାଇ ନାହିଁ।
ସେହିପରି ଘରୋଇ ଗ୍ରାହକଙ୍କୁ ୪% ରିହାତି ମିଳିବ । ଯଦି ଆପଣ ସମୟ ପୂର୍ବରୁ ଅନଲାଇନ୍ ରେ ସମ୍ପୂର୍ଣ୍ଣ ବିଲ୍ ପୈଠ କରନ୍ତି, ତେବେ ୪% ରିହାତି ପାଇବେ। ପ୍ରି-ପେଡ୍ ମିଟର ବ୍ୟବହାର କରୁଥିବା ଗ୍ରାହକଙ୍କୁ ମଧ୍ୟ ୪% ରିହାତି ମିଳିବ । ଇ-ବିଲ୍ ପାଇଁ ମଧ୍ୟ ରିହାତି ରହିଛି । ଯେଉଁମାନେ କାଗଜ ବିଲ୍ ବଦଳରେ ଇଲେକ୍ଟ୍ରୋନିକ୍ ବିଲ୍ ଗ୍ରହଣ କରିବେ, ସେମାନଙ୍କୁ ୧୦ ଟଙ୍କା ଛାଡ଼ ମିଳିବ । ଏପଟେ ସମୟ ଅନୁଯାୟୀ ଶୁଳ୍କ ଧାର୍ଯ୍ୟ ହୋଇଛି ।
ଜୁଲାଇ ୨୦୨୬ରୁ ସ୍ମାର୍ଟ ମିଟର ଗ୍ରାହକଙ୍କ ପାଇଁ ସୌର ସମୟରେ ଅର୍ଥାତ ସକାଳ ୮ରୁ ଅପରାହ୍ନ ୪ଟା ଯାଏ ବିଦ୍ୟୁତ୍ ବିଲ୍ ଶସ୍ତା ହେବ । ପିକ୍ ସମୟରେ ଅର୍ଥାତ ସନ୍ଧ୍ୟା ୬ରୁ ରାତି ୧୨ଟା ମଧ୍ୟରେ ବିଦ୍ୟୁତ ମହଙ୍ଗା ହେବ। ନୂଆ ନିୟମରେ ସ୍ମାର୍ଟ ମିଟର ଉପରେ ଜୋର ଦିଆଯାଇଛି । ବିଦ୍ୟୁତ କ୍ଷୟ ରୋକିବାକୁ ସମସ୍ତ ଫିଡର ଓ ଗ୍ରାହକଙ୍କ ପାଖରେ ସ୍ମାର୍ଟ ମିଟର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ବ୍ୟବସ୍ଥା ହୋଇଛି । ଯେଉଁମାନଙ୍କ ବିଦ୍ୟୁତ ସଂଯୋଗ ସ୍ଥାୟୀ ଭାବେ କଟିଯାଇଛି, ସେମାନଙ୍କ ପୁରୁଣା ସିକ୍ୟୁରିଟି ଟଙ୍କା ଫେରସ୍ତ ପାଇଁ ସରଳ ବ୍ୟବସ୍ଥା କରାଯାଇଛି ।
