Odia News Portal

ଲୋକେ ସରକାରଙ୍କ ପାଖକୁ ନୁହେଁ, ସରକାର ଲୋକଙ୍କ ପାଖକୁ ଯାଇଛନ୍ତି: ମୁଖ୍ୟମନ୍ତ୍ରୀ

ବିଜେପି ସରକାରରେ ଲୋକେ ସରକାରଙ୍କ ପାଖକୁ ନୁହେଁ, ସରକାର ଲୋକଙ୍କ ପାଖକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ସରକାରୀ ନିଯୁକ୍ତି ବଢିବା ସହ ଦୁର୍ନୀତି ହ୍ରାସ ପାଉଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୭୭୩ କୋଟି ୯୯ ଲକ୍ଷ ୪୧ ହଜାରର ବ୍ୟୟ ବରାଦ ଆଗତ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି,” ଅଭିଯୋଗ ଶୁଣାଣି ଓ ସମାଧାନ ପାଇଁ ୨୦୨୪ ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଶୁଣାଣି କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଓ ବରିଷ୍ଠ ଅଧିକାରୀ ଅଭିଯୋଗ ଶୁଣାଣିରେ ସାମିଲ ହେଉଛନ୍ତି । ଗତ ଏପ୍ରିଲ ମାସରେ ମୁଖ୍ୟାଳୟ ବାହାରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ବଲପୁରରେ ଆୟୋଜନ ହୋଇଛି । ଯାହା ଓଡିଶା ଶାସନ ଇତିହାସରେ ବିରଳ । ରାଜ୍ୟ ମୁଖ୍ୟାଳୟ ବାହାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନିୟମିତ ଭାବରେ ଆୟୋଜନ କରାଯିବ । ଯାହା ଦ୍ୱାରା ଲୋକେ ରାଜଧାନୀକୁ ନଆସି ନିଜ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଇପାରିବେ । ଅଭିଯୋଗ ତଥା ସମସ୍ୟା ଜଣାଇପାରିବେ । କଳାହାଣ୍ଡି, ବାଲେଶ୍ୱର, ଅନୁଗୁଳ ଜିଲ୍ଲାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ।”

ପ୍ରତି ସପ୍ତାହରେ ଜିଲ୍ଳାସ୍ତରୀୟ ଜନ ଅଭିଯୋଗ ଶୁଣାଣି:
“ବିଜେପି ସରକାର କ୍ଷମତାକୁ ଆସିଲା ପରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପ୍ରାୟ ୧୫ ହଜାର ଅଭିଯୋଗର ଶୁଣାଣି କରାଯାଇଛି । ପ୍ରାପ୍ତ ଅଭିଯୋଗ ଗୁଡିକରୁ ପ୍ରାୟତଃ ୯୩ ପ୍ରତିଶତ ଅଭିଯୋଗର ତ୍ଵରିତ ସମାଧାନ ହୋଇଛି । ଜନଶୁଣାଣି ପୋର୍ଟାଲ ହ୍ୱାଟ୍ସଆପ ଓ ଡାକ ମାଧ୍ୟମରେ ସମସ୍ତ କାର୍ଯ୍ୟ ଦିବସରେ ପ୍ରତ୍ୟକ୍ଷ ଭାବରେ ଅଭିଯୋଗ ଗ୍ରହଣ କରାଯାଇ ତ୍ଵରିତ ସମାଧାନ କରାଯାଉଛି । ପ୍ରତି ସପ୍ତାହରେ ଜିଲ୍ଳାସ୍ତରରେ ଯୁଗ୍ମ ଶୁଣାଣି ଆୟୋଜନ କରାଯାଉଛି । ଆର୍ଥିକ ଅନଗ୍ରସର ଲୋକଙ୍କର ଜଟିଳ ରୋଗର ଚିକିତ୍ସା ଏବଂ ଦୁର୍ଘଟଣାରେ ପୀଡିତ ଲୋକମାନଙ୍କ ସହାୟତା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।