Odia News Portal

ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ପୋଷାକ, ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଚିଠି

ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବଣ୍ଟନ କର ୟୁନିଫର୍ମ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବ ଶିକ୍ଷାବର୍ଷରେ ପୋଷାକ ଦେବାରେ ହୋଇଥିଲା ବିଳମ୍ବ ହୋଇଥିବାରୁ ଏଥର ଛୁଟି ପୂର୍ବରୁ ପୋଷାକ ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବ ଶିକ୍ଷାବର୍ଷରେ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ କ୍ରୟ, ସିଲେଇ ଓ ବଣ୍ଟନରେ ଅତ୍ୟଧିକ ବିଳମ୍ବ ହେଉଥିବା ବିଭାଗର ଦୃଷ୍ଟିକୁ ଆସିଛି । ଏଭଳି ବିଳମ୍ବ କେବଳ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅସୁବିଧାର ପକାଉନି ବରଂ ପିଲାଙ୍କ ଭିତରେ ଯେଉଁ ସମାନତା ଭାବନା ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି ତାହା‌ ପୂରଣ ହେଉନି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ୨୦୨୬-୨୭ ଶିକ୍ଷାବର୍ଷରେ ସମୟାନୁସାରେ ପୋଷାକ ବିତରଣ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ପୂର୍ବରୁ ସ୍କୁଲ ପୋଷାକ କ୍ରୟ, ସିଲେଇ ଏବଂ ବଣ୍ଟନର ପ୍ରକ୍ରିୟା ଶେଷ କରିବା ପାଇଁ ଆଗୁଆ ପଦକ୍ଷପ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିସହିତ ପୋଷାକ ବଣ୍ଟନରେ ଯଦି କୌଣସି ଅଭିଯୋଗ ଆସେ, ତେବେ ତାହାକୁ ତୁରନ୍ତ ସମାଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ‘ଅଭିଯୋଗ ପ୍ରତିକାର’ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ । ସରକାର ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ସମସ୍ତ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଏହାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ପ୍ରତି ୧୫ ଦିନରେ ଏହାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଓସେପା (OSEPA) ଏବଂ ଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି ।