Odia News Portal

ବନ୍ଧା ହେଲେ ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ ଏସ୍‌ଡିଓ ପଞ୍ଚୁ ବେହେରା

ଗଞ୍ଜାମଜିଲ୍ଲା ଭଞ୍ଜନଗର ସେଚ ଡିଭିଜନ୍‌ ଅଧୀନ ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ ଏସ୍‌ଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସକାଳୁ ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଥିଲା। ସମାନ ସମୟରେ ୫ଟି ସ୍ଥାନରେ ଛାନ୍‌ଭିନ୍‌ ହୋଇଥିବା ବେଳେ ପଞ୍ଚୁଙ୍କ କ୍ବାର୍ଟର୍ସ ଓ ଘରୁ ନଗଦ ୧୮ ଲକ୍ଷ ଟଙ୍କା ସହ ବିପୁଳ ସୁନା, ଜମି କାଗଜପତ୍ର ଓ ଆର୍ଥିକ ନିବେଶ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତେଇଥିଲା। ଗତକାଲି ଭୋର୍ ୫ଟା ବେଳେ ଭିଜିଲାନ୍ସ ଟିମ୍‌ ପଞ୍ଚୁଙ୍କ ସରକାରୀ କ୍ବାର୍ଟର୍ସ ଓ ଚାମ୍ବର୍‌ରେ ପଶିଥିଲା। ସମାନ ସମୟରେ ବ୍ରହ୍ମପୁର ବସନ୍ତବିହାର ଚତୁର୍ଥ ଗଳିରେ ଥିବା ତାଙ୍କ ଘରେ ବି ଆଉ ଗୋଟିଏ ଟିମ୍‌ ଚଢ଼ଉ କରିଥିଲା। ଏହାବାଦ୍ ପୋଲସରାର ପୈତୃକ ଘର ଓ ବ୍ରହ୍ମପୁର ବୀମାନଗରରେ ଥିବା ସମ୍ପର୍କୀୟଙ୍କ ଘର ଉପରେ ଛାପା ମାରିଥିଲା। ପଞ୍ଚୁ କ୍ବାର୍ଟର୍ସରେ ଥିଲା ବେଳେ ବ୍ରହ୍ମପୁର ଘରେ ପତ୍ନୀ ଓ ଅନ୍ୟ ସଦସ୍ୟ ଥିଲେ। ୩ଜଣ ଡିଏସ୍‌ପି ଓ ୭ଜଣ ଇନ୍‌ସ୍ପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ବେଳେ ଭଞ୍ଜନଗରରେ ଥିବା ତାଙ୍କ ସରକାରୀ କ୍ବାର୍ଟର୍ସରୁ ନଗଦ ୩ ଲକ୍ଷ ୭୨ ହଜାର ୮୦୦ ଟଙ୍କା ସମେତ କିଛି ଜରୁରୀ କାଗଜପତ୍ର ଜବତ କରାଯାଇଛି। ସେହିପରି ବ୍ରହ୍ମପୁର ଘରୁ ନଗଦ ୧୫.୧୩ ଲକ୍ଷ ଟଙ୍କା ସହ ଜମି ଓ ଘରକିଣା କାଗଜପତ୍ର ସମେତ ବ୍ୟାଙ୍କ ଓ ପୋଷ୍ଟାଲ୍ ଜମା ଏବଂ ଅନ୍ୟ ଆର୍ଥିକ ନିବେଶ ସମ୍ପର୍କିତ ବହୁ ତଥ୍ୟ ଭିଜିଲାନ୍ସକୁ ମିଳିଛି। ପଞ୍ଚୁ ଓ ପରିବାର ସଦସ୍ୟଙ୍କ ନାଁରେ ବ୍ରହ୍ମପୁର ବସନ୍ତବିହାରରେ ୩୫୫୦ ବର୍ଗଫୁଟର ୩ ମହଲା ଘର ଓ ବ୍ରହ୍ମପୁର ସହରରେ ୫ଟି ମୂଲ୍ୟବାନ ଜମି ରହିଥିବା ଜଣାପଡ଼ିଛି।ଏଥିସହ ୩୭ ଲକ୍ଷର ଗୋଟିଏ ଜେସିବି ମେସିନ୍ ଓ ୫୭ ଲକ୍ଷର କଂକ୍ରିଟ ମିକ୍ସର ମେସିନ୍, ଗୋଟିଏ ହ୍ୟୁଣ୍ଡାଇ ଆଇ-୨୦ କାର୍ ଓ ୩ଟି ବାଇକ୍ ସମେତ ସୁନାହାର, ଚୁଡ଼ି, କାନଫୁଲ, ମୁଦି, ଲକେଟ୍ ସହ ରୁପା ପାଉଁଜି, ମୁଦି ଓ ବ୍ରେସ୍‌ଲେଟ୍‌ ଆଦି ଜବତ ହୋଇଛି। ୧ ଗ୍ରାମ୍‌ରୁ ୧୦ ଗ୍ରାମ୍‌ ପର୍ଯ୍ୟନ୍ତ ୧୫ରୁ ଅଧିକ ୨୪ କ୍ୟାରେଟ୍‌ ସୁନା ବିସ୍କୁଟ୍‌, କେତେକ ରୁପାମୁଦ୍ରା ତାଙ୍କ ବ୍ରହ୍ମପୁର ଘରୁ ମିଳିଛି।ସୂଚନାଯୋଗ୍ୟ, ଶ୍ରୀ ବେହେରା ୨୦୧୧ ସେପ୍ଟେମ୍ବର ୨୭ ତାରିଖରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସହକାରୀ ଯନ୍ତ୍ରୀ ଭାବେ ବିଭିନ୍ନ ଜିଲ୍ଲାରେ କାମ କରିବା ପରେ ସେ ୨୦୨୨ ଏପ୍ରିଲ୍‌ ମାସରେ ଜଳସେଚନ ବିଭାଗକୁ ବଦଳି ହୋଇ ଏସ୍‌ଡିଓ ଭାବେ ନିଯୁକ୍ତ ହୋଇଥିଲେ। ମାତ୍ର ୯୩୦୦ ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା ଶ୍ରୀ ବେହେରା କୋଟି କୋଟି ଟଙ୍କା କେମିତି ରୋଜଗାର କଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।