ଗତକାଲି ରାତିରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ। ପିପିଲି ଥାନା ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ଆଳିସ ଗାଁରେ ନଡ଼ିଆ ଗଛ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଏହି ଗାଁର ଜଗନ୍ନାଥ ବେହେରା (୮୦)। ଗାଁ ମନ୍ଦିରରେ ଏକ ଭୋଜି ଚାଲିଥିବା ବେଳେ ରାତି ପ୍ରାୟ ସାଢ଼େ ୯ଟାରେ ଏହି ଅଘଟଣ ଘଟିଛି। ଅଗ୍ନିଶମ ବିଭାଗ ଓ ପୁଲିସକୁ ସୂଚନା ଦିଆଯାଇଛି।ସେହିପରି ପୁରୀ ସହରରେ ରାତି ପ୍ରାୟ ସାଢ଼େ ଦଶଟା ବେଳେ ପ୍ରବଳ ବେଗରେ ପବନ ବହିଥିଲା। ଶ୍ରୀମନ୍ଦିରଆଡ଼ୁ ପବନ ଖଣ୍ଡିଆଭୂତ ଭଳି ମାଡ଼ି ଆସିଥିଲା। ପ୍ରବଳ ପବନ ସହ ଅନେକ ସ୍ଥାନରେ ଗଛ ଭାଙ୍ଗିଯାଇଛି। ଧୂଳିଝଡ଼ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଥିବା ସୂଚନା ମିଳିଛି। ବଡ଼ଦାଣ୍ଡରେ ଥିବା ଟିଣ ଡିଭାଇଡର୍ ସବୁ ଉଡ଼ି ଯାଇଥିଲା। ସମଗ୍ର ବଡ଼ଦାଣ୍ଡରେ ଧୂଳି, ପଲିଥିନ୍, ଟିଣ ଉଡ଼ୁଥିଲା। ଅନେକ ଭକ୍ତ ଭୟରେ ଦୌଡ଼ି ଆଶ୍ରା ଖୋଜିଥିଲେ। କେତେକ ଭକ୍ତ ହୋଟେଲ୍, ଦୋକାନ ଛାତ ତଳକୁ ଚାଲିଯାଇଥିଲେ। ପୂର୍ବରୁ ମୟୂରଭଞ୍ଜ, ଯାଜପୁରରେ କାଳବୈଶାଖୀ ତାଣ୍ଡବ ରଚିଥିବାରୁ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ଧୂଳିଝଡ଼ ପରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। ପୂର୍ବ ସୂଚନା ଅଭାବରୁ ପୁରୀ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଫସି ରହିଛନ୍ତି। ବିଦ୍ୟୁତ୍ ବିଭ୍ରାଟ କାରଣରୁ ସାରା ସହର ଅନ୍ଧାରରେ ବୁଡ଼ି ରହିଛି।
