Odia News Portal

ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା

ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୀଠାଖାଇ ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରା ଯିବା ବେଳେ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର। ମୃତକ ହେଲେ ଡ୍ରାଇଭର ପ୍ରବୀଣ କୁମାର ସାହୁ, ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ ଓ ସୁମନ୍ତୀ ସାହୁ। ସୁମନ୍ତୀଙ୍କର ଦୁଇଟି ଛୋଟ ପୁଅ-ଝିଅ ଅଛନ୍ତି । ମାଆକୁ ହରାଇ ବେସାହାର ହୋଇପଡିଛନ୍ତି । ଗତକାଲି ‘ମା’ ସିଂହେଶ୍ୱରୀ’ ନାମକ ବସଟି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବଲାଙ୍ଗିର ହରିଶଙ୍କର ଅଭିମୁଖେ ଯାଉଥିଲା । ବିଳମ୍ବିତ ରାତିରେ ପିଠାଖାଇ ଘାଟି ନିକଟରେ ରାସ୍ତାକଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭ ଜଣକର ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।