Odia News Portal

ହାତୀ ପାଇଁ ହନ୍ତସନ୍ତ: ଗଡ଼ିଲାଣି ୪୦ମୁଣ୍ଡ, ଏବେ ଗାଁରୁ ସହରମୁହାଁ

ନୟାଗଡ଼ରେ ନାହିଁ ହାତୀମାନଙ୍କର ଏତେଟା ଉପଦ୍ରବ। ପଡ଼ୋଶୀ ପୁରୀ ଜିଲ୍ଲାରେ ବି ଏମାନଙ୍କ ହିଂସା ପ୍ରାୟ କମ୍‌। କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ ବଣୁଆ ହାତୀ ରକ୍ତମୁଖା ହୋଇପଡ଼ିଛନ୍ତି। ସେମାନଙ୍କ ହିଂସ୍ରପଣ ଏତେ ବଢ଼ିଛି ଯେ ଗତ ଦଶନ୍ଧିରେ ଜିଲ୍ଲାର ୪୦ ଲୋକଙ୍କୁ ଦଳି ଚକଟି ଜୀବନ ନେଇଛି। ଏବେଠୁ ପ୍ରକୃତି ଓ ପର୍ଯ୍ୟାବରଣ ପ୍ରତି ଧ୍ୟାନ ନ ହେଲେ, ଆଗକୁ ଦୁର୍ଘଟଣାଠୁ ବି ହାତୀ ଉପଦ୍ରବ ଜିଲ୍ଲା ପାଇଁ ଏକ ବଡ଼ ଆହ୍ବାନ ହୋଇ ଠିଆ ନ ହେବ ତାହା କହି ହେବ ନାହିଁ। ଖୋର୍ଦ୍ଧା ବନଖଣ୍ଡ ତଥ୍ୟ କହୁଛି, ୧୨ବର୍ଷ ତଳେ ଅର୍ଥାତ୍‌ ୨୦୧୪-୧୫ ଆର୍ଥିକ ବର୍ଷରେ ଜିଲ୍ଲାରେ ହାତୀ ଉପଦ୍ରବ ଏତେଟା ନ ଥିଲା। କାଁ ଭାଁ ହାତୀ ଜନବସତିମୁହାଁ ହେଉଥିଲେ। ହାତୀମୁହଁରେ ପଡ଼ି ସେହିବର୍ଷ ମାତ୍ର ଜଣେ ଲୋକଙ୍କ ମୃତ୍ୟୁ ହୋଇଥିଲା। ତା’ ପର ବର୍ଷ ମୃତ୍ୟୁସଂଖ୍ୟା ଶୂନ ଥିଲା।୨୦୧୭-୧୮ଆର୍ଥିକ ବର୍ଷ ଯାଏଁ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁସଂଖ୍ୟା ଏକରେ ସୀମିତ ରହୁଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ମୃତ୍ୟୁସଂଖ୍ୟା ଦୁଇକୁ ଡେଇଁଲା। ତା’ ପରଠାରୁ ତାଲିକା ଆଗକୁ ଆଗକୁ ଲମ୍ବି ଲମ୍ବି ଚାଲିଛି। ଗଲା କୋଭିଡ୍ ସମୟରେ ଲୋକେ ଯେବେ ଲକ୍‌ଡାଉନ୍‌ର ଶିକାର ହୋଇଥିଲେ, ଖୋର୍ଦ୍ଧା ଜିଲ୍ଲାରେ ହାତୀ ଉପଦ୍ରବ ଚରମ ସୀମା ଛୁଇଁଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୯ଜଣଙ୍କର ମୁଣ୍ଡ ଗଡ଼ିଥିଲା। ଏହି କ୍ରମରେ ୨୦୨୦-୨୧ ଆର୍ଥିକ ବର୍ଷରେ ହାତୀପଲ ୪ ଜଣଙ୍କୁ ମାରିଥିବା ବେଳେ ୨୦୨୧-୨୨ରେ ୬ ଜଣଙ୍କୁ, ୨୦୨୨-୨୩ରେ ୪ ଜଣଙ୍କୁ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୮ଜଣଙ୍କ ଜୀବନ ନେଇଛି ହାତୀ।  ୨୦୨୪-୨୫ ଆର୍ଥିକ ବର୍ଷରେ ହାତୀ ଆକ୍ରମଣରେ ୪ଜରଙ୍କ ଜୀବନ ଯାଇଛି।ହାତୀପଲ ଖୋର୍ଦ୍ଧା ସହର ଉପକଣ୍ଠ ଅଞ୍ଚଳରେ ମୃତ୍ୟୁର ତାଣ୍ଡବ ଖେଳାଉଥିଲେ ଏବଂ ଚାଷୀଙ୍କର ଫସଲ ସବୁ ନଷ୍ଟ କରୁଥିଲେ। ଏବେ ହାତୀପଲ ସହରମୁହାଁ ହେଲେଣି। ଖୋର୍ଦ୍ଧା ସହର ଭାଲିଆବାଡ଼ିରେ ବି ଦନ୍ତାହାତୀର ଉପସ୍ଥିତି ଦେଖା ଦେଲାଣି। ଏମିତିକି, ସହର ଭିତରକୁ ଆସି ଘର ପାଚେରି ଭାଙ୍ଗିବା ଘଟଣା ସହରରେ ହାତୀଙ୍କର ଆତଯାତ କେମିତି ହେଲାଣି ତାହା ଦର୍ଶାଇ ଦେଉଛି। ଖୋର୍ଦ୍ଧା ସହର ଦେଇ ଦୁଇ ଜାତୀୟ ରାଜପଥ ଯାଇଛି। ଜାତୀୟ ରାଜପଥ ଉପରେ ବି ହାତୀପଲଙ୍କ ଯାତାୟାତର ନଜିର୍‌ ରହିଛି। ହାତୀପଲ ଜନବସତିମୁହାଁ ହେବାରେ ଅଭ୍ୟସ୍ତ ହେବା ଏବଂ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇବା ଯୋଗୁ ଆଗକୁ ଜିଲ୍ଲା ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହେଲାଣି।