କନ୍ଧମାଳ ଜିଲ୍ଲା ଘୁମୁରସ ଉଦୟଗିରି ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବଢ଼ୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ନିକଟସ୍ଥ ପ୍ରଧାନ କଲୋନିରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଖାଦ୍ୟ ନଷ୍ଟ କରିଥିବା ଘଟଣା ଦେଖିବାକୁ ମିଳିଛି। ପ୍ରଧାନ କଲୋନିରେ ବସବାସ କରୁଥିବା ଶ୍ରବଣ କୁମାର ପ୍ରଧାନ (ପିତା ସୁଦର୍ଶନ ପ୍ରଧାନ)ଙ୍କ ଘର ସମ୍ମୁଖର ଆଜବେଷ୍ଟ ଭାଙ୍ଗି ହାତୀଟି ଘରଭିତରକୁ ପଶିଥିଲା। ପରେ ସେ ରୋଷେଇ ଘରକୁ ପହଞ୍ଚି ସେଠାରେ ଥିବା ଖାଦ୍ୟ ସାମଗ୍ରୀ ଖାଇବା ସହ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ନଷ୍ଟ କରିଦେଇଥିଲା। ଏହା ସହ ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ବାହାରକୁ ଫିଙ୍ଗିଦେଇଥିବା ଜଣାପଡ଼ିଛି। ହାତୀ ଘର ଭିତରକୁ ପଶିବାରୁ ଭୟଭୀତ ହୋଇ ପରିବାର ଲୋକେ ଘରୁ ବାହାରକୁ ପଳାଇ ସୁରକ୍ଷିତ ସ୍ଥାନକୁ ଯାଇଥିଲେ। ଏହି ଘଟଣା ରାତି ପ୍ରାୟ ୩ଟା ସମୟରେ ଘଟିଥିବା କୁହାଯାଉଛି। ପରେ ଗ୍ରାମବାସୀ ହାତୀକୁ ଘଉଡ଼ାଇବା ପାଇଁ ବାହାରିଥିଲେ, କିନ୍ତୁ ହାତୀଟି ଖାଦ୍ୟ ଅନ୍ୱେଷଣରେ ଚାରିପାଖରେ ଥିବା କଦଳୀ ଗଛ ମଧ୍ୟ ଖାଇ ଓ ଭାଙ୍ଗି ନଷ୍ଟ କରିଥିବା ଦେଖାଯାଇଛି। ଘରରେ ଧାନ ଓ ଚାଉଳ ମଧ୍ୟ ଥିଲା, କିନ୍ତୁ ଭାଗ୍ୟବଶତଃ ହାତୀ ସେଗୁଡିକ ଖାଇପାରିନଥିଲା। ସକାଳ ପର୍ଯ୍ୟନ୍ତ ହାତୀଟି ଗ୍ରାମ ଚାରିପଟେ ବୁଲୁଥିବାରୁ ଗ୍ରାମରେ ଆତଙ୍କ ଓ ଭୟର ପରିବେଶ ଦେଖାଯାଇଥିଲା। ବାରମ୍ବାର ଏପରି ହାତୀ ଉପଦ୍ରବ ଘଟୁଥିବାରୁ ସ୍ଥାନୀୟ ଲୋକେ ବନ ବିଭାଗଙ୍କୁ ଶୀଘ୍ର ଦୃଷ୍ଟି ଦେବା ସହ ସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
