ଆଜି ବି ପାହାଡ଼ ଓହ୍ଲାଇବାର ଦୁଃଖ ସରିନି। ରାତିରେ କିଟିକିଟି ଅନ୍ଧାର। ବଣପାହାଡ଼ ଭିତରେ ଏମିତି ବିକାଶ ଅପହଞ୍ଚ ହୋଇ ରହିଥିବା ଗାଁର ନାଁ କରୁଆଡେରା। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ରତନପୁର ପଞ୍ଚାୟତର ଏହି ଗାଁ ଦିନେ ପାଲଟିଥିଲା ଖବରର ଶିରୋନାମା। ସେଦିନ ଥିଲା ୨୦୧୮ ଅକ୍ଟୋବର ୩୦ ତାରିଖ। ଗାଁରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ପାଦ ପଡ଼ିଥିଲା। ପାହାଡ଼ ଉପରକୁ ଚାଲିଚାଲି ସେ ପହଞ୍ଚିଥିଲେ। ପ୍ରଥମଥର ଗାଁରେ ଜିଲ୍ଲାପାଳଙ୍କୁ ପାଇ ଖୁସିରେ କୁରୁଳି ଉଠିଥିଲେ ସରଳ ଆଦିବାସୀ। ଲୋକେ ଆଶା କରିଥିଲେ ବର୍ଷବର୍ଷ ଧରି ଜଙ୍ଗଲ ଭିତରେ କୋଣଠେସା ହୋଇ ରହିଥିବା ଗାଁକୁ ଜିଲ୍ଲାପାଳଙ୍କ ପଛେପଛେ ବିକାଶ ଆସି ପହଞ୍ଚିବ। ଜିଲ୍ଲାପାଳ ସେଦିନ ଦେଖିଥିଲେ ପାହାଡ଼ର ଉଠାପକା ଦୁର୍ଗମବାଟରେ ଗାଁ ଲୋକଙ୍କ ଯନ୍ତ୍ରଣାଦାୟକ ପଦଯାତ୍ରା। ଗର୍ଭବତୀ, ଆସନ୍ନପ୍ରସବା କିମ୍ବା ଅନ୍ୟ ଗୁରୁତର ରୋଗୀଙ୍କୁ ବିକଳ ଅବସ୍ଥାରେ ଦୋଳାରେ ବୋହି ନେଉଛନ୍ତି ଡାକ୍ତରଖାନା। ଏକମାତ୍ର ପଥର ବନ୍ଧେଇ କୂଅ ପାନୀୟ, ସ୍ନାନଶୌଚ ପାଇଁ ଭରସା। ବିଦ୍ୟାଳୟର ପରିଚୟ ନେଇ ରହିଥିବା ଦୁଇବଖରା ଛୋଟ ଘରେ ଶିଶୁଙ୍କ ଅଭିଶପ୍ତ ଭବିଷ୍ୟତ। ବିନା ବିଜୁଳିରେ କିଟିକିଟି ଅନ୍ଧାର ଭିତରେ ହଜିଯାଉଛି ଗାଁର ଅସ୍ତିତ୍ବ।ଏସବୁ ଦେଖି ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ। ତୁରନ୍ତ ରାସ୍ତା, ନଳକୂଅ ସହ ବିଜୁଳି ବ୍ୟବସ୍ଥା ଓ ବିଦ୍ୟାଳୟ କୋଠାନିର୍ମାଣ ପାଇଁ ସେଇଠି ନିର୍ଦ୍ଦେଶ ଦେଇଥିଲେ। ପାହାଡ଼ ଚଢ଼ି ବେଶ୍ ପ୍ରଶଂସା ସାଉଁଟି ଫେରି ଯାଇଥିଲେ ଜିଲ୍ଲାପାଳ। ଏହାମଧ୍ୟରେ ୮ ବର୍ଷ ବିତିଗଲାଣି। ଚିତ୍ର ବିଶେଷ ବଦଳିନି। ବିଦ୍ୟାଳୟ କୋଠା, ନଳକୂପ ପାଣି ବ୍ୟତୀତ ଗାଁକୁ ଆଉ କିଛି ପହଞ୍ଚିନି। ରତନପୁର ପଞ୍ଚାୟତ ମୁଖ୍ୟାଳୟକୁ ଚାଉଳ, ଭତ୍ତା ଓ ଅନ୍ୟାନ୍ୟ କାମ ପାଇଁ ପାହାଡ଼ି ବାଟରେ ୨ କିଲୋମିଟର ଯିବାକୁ ପଡ଼ୁଛି। ଭାଲୁବାହାଲ ଦେଇ ରତନପୁରକୁ ଯାଇଥିବା ଅନ୍ୟ ଏକ ବୁଲାଣି ରାସ୍ତା ମଧ୍ୟ ସେମିତି ଉଠାପକା, ଶୋଚନୀୟ ରହିଛି। ପ୍ରଶାସନିକ ଉଦାସୀନତା ମଧ୍ୟରେ ଗାଁ ଲୋକେ ଆଜି ମଧ୍ୟ ଅଭିଶପ୍ତ ଜୀବନ ଜିଉଁଛନ୍ତି। କେବଳ କରୁଆଡେରା ନୁହେଁ, ପାହାଡ଼ି ଗାଁ ବଡ଼ ଢ଼ବାଖୋଲର ମଧ୍ୟ ଏମିତି ଦୁର୍ଦ୍ଦଶାରେ ବୁଡ଼ି ରହିଛି ବୋଲି କହିଛନ୍ତି ୱାର୍ଡସଭ୍ୟ ଏରନ ଲାକଡ଼ା। ରତନପୁର ସରପଞ୍ଚ ବଉଳ ପ୍ରଧାନ କହିଛନ୍ତି, ରାସ୍ତା ପାଇଁ ଅପହଞ୍ଚ ଗାଁ ଭାବେ କରୁଆଡେରା ଗାଁର ନାମ ଦିଆଯାଇଛି। ୬ ମାସ ତଳେ ଜିଲ୍ଲା ପରିଷଦ ସଭାପତି କୁନ୍ତି ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଗାଁକୁ ଆସି ବିଜୁଳି ଯୋଗାଇ ଦିଆଯିବ ବୋଲି କହିଥିଲେ। କିନ୍ତୁ ଏବେ ବି ଗାଁ ଅନ୍ଧାରରେ ବୋଲି ସେ କହିଥିଲେ।
