ବଲାଙ୍ଗିର ଚାଷୀଙ୍କ ଲକ୍ଷାଧିକ ଧାନ ଟଙ୍କା ହଡ଼ପ: ପ୍ୟାକ୍ସ ସମ୍ପାଦକ ଓ ଡାଟା ଅପରେଟର ଗିରଫ୍ By Swadhikar News Last updated Mar 31, 2026 ବଲାଙ୍ଗିର ଚାଷୀ ମଣ୍ଡିରେ ଧାନ ଦେଇ ମଧ୍ୟ ପାଇଲେନି ତାଙ୍କ ଧାନ ବିକା ଟଙ୍କା । ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଡିଆରସିଏସ ଏହାର ତଦନ୍ତ ପରେ ଦେଲେ ଥାନାରେ ଏତଲା । ଯାହା ଫଳରେ ଜଣେ ପ୍ୟାକ୍ସ ସମ୍ପାଦକ ଓ ଜଣେ ଡାଟା ଅପରେଟର ଗିରଫ ହୋଇଛନ୍ତି । ୧୧ ଜଣ ଚାଷୀଙ୍କ ୪୫୫ କ୍ବିଣ୍ଟାଲରୁ ଅଧିକ ଧାନର ଟଙ୍କା ଏମାନେ ହଡ଼ପ କରିଥିବାର ଅଭିଯୋଗ ହୋଇଛି ।ଏଭଳି ଗୁରୁତର ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପ୍ୟାକ୍ସରୁ । ଏଠି ନକଲି କାଗଜପତ୍ରରେ ଚାଷୀଙ୍କ ଟଙ୍କା ହଡ଼ପ ହୋଇଛି l ୧୧ ଜଣ ଚାଷୀଙ୍କ ପ୍ରାୟ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ l ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲା ଧୂମାଭଟା ପ୍ୟାକ୍ସ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଓ ଡିଇଓ ହୃଷୀକେଶ ବୁଡେକ l ପ୍ୟାକ୍ସରେ ଚାଷୀଙ୍କ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ ଆସିବା ପରେ ବଲାଙ୍ଗିର ଡିଆରସିଏସ୍ ଓ ପାଟଣାଗଡ଼ ଏଆରସିଏସ୍ ଅଫିସ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଇଥିଲା l ତଦନ୍ତରେ ଚାଷୀଙ୍କ ୧୪ ଲକ୍ଷ ୮୦ ହଜାର ୩୪୩ ଟଙ୍କା ଧାନ ବିକ୍ରି ଓ ଇନପୁଟ୍ ସହାୟତା ରାଶି ହେରଫେର ହୋଇଥିବା ଜଣା ପଡିଥିଲା lଯେଉଁଥିରେ ୧୧ ଜଣ ଚାଷୀଙ୍କ ୪୭୭.୫ କ୍ୱିଣ୍ଟାଲ ଧାନ ବିକ୍ରିର ୧୧ ଲକ୍ଷ ୩୧ ହଜାର୨୬୮ ଟଙ୍କା ଓ ଇନପୁଟ୍ ସହାୟତା ବାବଦକୁ ୩ ଲକ୍ଷ ୪୯ ହଜାର ୭୪ ଟଙ୍କା ରହିଛି I ଏଯାଏଁ ଏହିସବୁ ଟଙ୍କା ଚାଷୀଙ୍କୁ ଦିଆଯାଇନଥିବା ଏତଲାରେ ଉଲ୍ଲେଖ କରିଛନ୍ତି, ବଲାଙ୍ଗିର ଡିଆରସିଏସ୍ ପ୍ରମୋଦ ବରିହା l ଏହାପରେ ଚାଷୀଙ୍କ ଟଙ୍କା ଠକେଇ ନେଇ ଡିଆରସିଏସ୍ ପ୍ରମୋଦ କୁମାର ବରିହା ବେଲପଡା ଥାନାରେ ଏତଲା ଦେଇଥିଲେ l ଏତଲା ଆଧାରରେ ଥାନା କେସ ନମ୍ବର ୭୯/୨୦୨୬ରେ BNS ଦଫା ୩୧୮ (୪),୩୩୮, ୩୩୬(୩), ୩୪୦(୨) ଏବଂ ୩(୫)ରେ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ ଏବଂ ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଧୂମାଭଟା ପ୍ୟାକ୍ସ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଓ ଡିଇଓ ହୃଷୀକେଶ ବୁଡେକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଜଣେ ଅଭିଯୋଗକାରୀ ଚାଷୀ ସୁଶୀଲ ମାଝୀଙ୍କ କହିବା ହେଲା ଯେ,” ମୁଁ ଗତ ଫେବ୍ରୁଆରୀ ମାସରେ ମୋର ଧାନ ଧୁମଭଟା ପ୍ୟାକ୍ସରେ ବିକ୍ରି କରିଥିଲି । ମୋ ପାଖକୁ ଆସିଥିବା ଟୋକନ ଅନୁସାରେ ଧାର୍ଯ୍ୟ ତାରିଖରେ ମୁଁ ପେକ୍ସରେ ଧାନ ଦେଇଥିଲି । ହେଲେ ମୋ ଧାନ ବିକ୍ରି ଟଙ୍କା ମୋତେ ମିଳି ନ ଥିଲା । ପରେ ମୁଁ ସବୁଠି ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଥିଲି । ଏବେ ମୋ ପରିବାର ପୋଷଣ ଚିନ୍ତା ଅଛି । ମୋ ଛୁଆ ପିଲାଙ୍କ ପାଠ ପଢା, ଔଷଧ ଖର୍ଚ୍ଚ ଅଛି । ମୋତେ ମୋ ଧାନ ଟଙ୍କା ନିହାତି ଆବଶ୍ୟକ । ନ ହେଲେ ମୁଁ ଆତ୍ମାହୁତି ଦେବି” ବୋଲି ସେ କହିଛନ୍ତି । swadhikarswadhikar news Share