SCB ମେଡିକାଲ୍ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ By Swadhikar News Last updated Mar 31, 2026 କଟକ SCB ମେଡିକାଲ୍ କଲେଜ ଅଗ୍ନିକାଣ୍ଡ ଘଟଣାକୁ ନେଇ ତୀବ୍ର ହେଉଛି ରାଜନୀତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ । ବିଜେଡି, କଂଗ୍ରେସ ଏବଂ ସିପିଆଇଏମ୍ ବିଧାୟକମାନେ ଲୋୟର୍ ପିଏମଜିରେ ଗଣଧାରଣା ଦେବା ପରେ ଗତକାଲି(ସୋମବାର) ସନ୍ଧ୍ୟାରେ ଲୋକଭବନ ଯାଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ । ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରା ନଯାଏ, ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ କହିଛନ୍ତି,”କଟକ SCB ମେଡିକାଲ୍ କଲେଜ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିବା ସହ ଆମେ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ ।” ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ନ ହେଲେ ଆଗକୁ ସ୍ୱର ଆହୁରି ଶାଣିତ ହେବ ବୋଲି କାଡ଼ାମ ଚେତାବନୀ ଦେଇଛନ୍ତି।ବିରୋଧୀ ସଦସ୍ୟମାନଙ୍କ ପକ୍ଷରୁ ଦାବି କରାଯାଇଛି ଯେ,” ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦିଅନ୍ତୁ ଏବଂ ମୃତକମାନଙ୍କ ପରିବାରକୁ 5 କୋଟି ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଉ । ହାଇକୋର୍ଟର ଜଣେ ବର୍ତ୍ତମାନର ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଘଟଣାର ତଦନ୍ତ କରାଯାଉ । ସେହିପରି ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତଙ୍କୁ ରାଜ୍ୟ ସରକାର, ମାଗଣା ଚିକିତ୍ସା ସହ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ। ” ରାଜ୍ୟରେ ସବୁ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଡିଟ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ । swadhikarswadhikar news Share