Odia News Portal

କଟକ ରାଜନୀତିରେ ହଲଚଲ

ଏପ୍ରିଲର ପ୍ରଥମ ଦିନରେ ଆଜି କଟକ ରାଜନୀତିରେ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି। ଗୋଟିଏ ପଟେ କଟକରେ ଦୁଇଟି ମିଶ୍ରଣପର୍ବ ଆୟୋଜନ କରି ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳଙ୍କ ସପକ୍ଷରେ ବାହାରି ଶତାଧିକ ଛାତ୍ର, ଯୁବ ବିଜେଡି କର୍ମୀ ଓ କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ମୋକିମଙ୍କ ନେତୃତ୍ବରେ ଗଠିତ ଓଡ଼ିଶା ଜନତା କଂଗ୍ରେସର ଦୁଇଟି ବଡ଼ ମିଶ୍ରଣ ପର୍ବ କଟକ ତୁଳସୀପୁର ନିକଟସ୍ଥ ଖ୍ରୀଷ୍ଟିଆନ ପଡ଼ିଆରେ ଏବଂ ନିଶ୍ଚିନ୍ତକୋଇଲିର ବନ୍ଧନ ମଣ୍ତପରେ ଆୟୋଜିତ ହୋଇଥିଲା।କଟକରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରାୟ ସବୁ ୱାର୍ଡରୁ ତୃଣମୂଳସ୍ତରର କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ। ଅନେକ ପୂର୍ବତନ କର୍ପୋରେଟର, ୱାର୍ଡ ସଭାପତି ଓ ସାହି ମୁରବି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବାରବାଟୀ-କଟକ ବିଧାୟିକ ସୋଫିଆ ଫିର୍‌ଦୋସ ଓ କଂଗ୍ରେସର କର୍ପୋରେଟରମାନେ କିନ୍ତୁ ଏଥିରୁ ଦୂରେଇ ରହିଥିଲେ। ଅନ୍ୟପଟେ ନିଶ୍ଚିନ୍ତକୋଇଲି ବ୍ଲକ୍‌ କଂଗ୍ରେସର ପୂର୍ବତନ ସଭାପତି ରମାକାନ୍ତ ବେହେରାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏବଂ କିଛି ଅନ୍ୟ ଦଳର ପଞ୍ଚାୟତସ୍ତରୀୟ ନେତା ଓ କର୍ମୀ ଓଡ଼ିଶା ଜନତା କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଗୋଟିଏ ପଟେ ମୋକିମ ଏଭଳି ମିଶ୍ରଣ ପର୍ବ ଜରିଆରେ କଂଗ୍ରେସକୁ ଚକ୍‌ମା ଦେଇଥିବାବେଳେ ଅନ୍ୟପଟେ ବିଜେଡିରୁ ବହିଷ୍କୃତ ପ୍ରଭାତ ବିଶ୍ବାଳଙ୍କ ସପକ୍ଷରେ ଆଜି ଶତାଧିକ ଯୁବ-ଛାତ୍ର କର୍ମକର୍ତ୍ତା ବାହାରି ବିଜେଡିରୁ ସମୂହ ଇସ୍ତଫା ଦେଇଛନ୍ତି। ସେମାନେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପର ନିନ୍ଦା କରିବା ସହିତ ଦଳର ମୁଖ୍ୟଙ୍କୁ ଏ ପ୍ରକାର ନିଷ୍ପତ୍ତି ପାଇଁ ସମାଲୋଚନା କରିଛନ୍ତି। ପ୍ରଭାତ ପୂର୍ବରୁ ବିଜେଡିର କ‌ର୍ପୋରେଟର, କାଉନସିଲର ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିଜ ସହ ଏକାଠି କରି ଦଳର ନେତୃବୃନ୍ଦଙ୍କୁ ଅଡୁଆରେ ପକାଇ ଥିବା ବେଳେ ଆଜିର ଇସ୍ତଫା ପର୍ବ ଆଲୋଚନାର ପ୍ରସଙ୍ଗ ହୋଇଛି। ଗତକାଲି କଟକ ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂହ ବିଜେଡିରୁ ଇସ୍ତଫା ଦେଇଥିଲେ। ଯଦିଓ ସେ ନିଜକୁ ପ୍ରଭାତଙ୍କ ପ୍ରସଙ୍ଗ ସହିତ ଜଡ଼ିତ କରି ନାହାନ୍ତି, କିନ୍ତୁ କଟକ ବିଜେଡିରେ ଆରମ୍ଭ ହୋଇଥିବା ଇସ୍ତଫା ପର୍ବ ରାଜନୀତିକୁ ସରଗରମ କରିଛି।