କୋରାପୁଟ ଓ ମାଲକାନଗିରିରେ ଭୂମିକମ୍ପ ଝଟକା, ତୀବ୍ରତା ୪.୪ ରେକର୍ଡ By Swadhikar News Last updated Apr 5, 2026 ଓଡ଼ିଶାରେ ଭୂମିକମ୍ପ ଝଟ୍କା । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ କୋରାପୁଟ ଜିଲ୍ଲା ହୋଇଥିବା ସ୍ପଷ୍ଟ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିବା ଜଣାପଡିଛି ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା 4.4 ଥିଲା । ଏହାର କେନ୍ଦ୍ରସ୍ଥଳ କୋରାପୁଟ ଜିଲ୍ଲା ନିକଟରେ ପ୍ରାୟ 18.573° ଉତ୍ତର, 82.559° ପୂର୍ବ ଅକ୍ଷାଂଶରେ ଅବସ୍ଥିତ ଥିଲା, ଯାହାର ଗଭୀରତା 5 କିଲୋମିଟର ଥିଲା ।ଗତକାଲି (ଶନିବାର ) ରାତି ପ୍ରାୟ ୧୧ଟା ୩୧ ମିନିଟ୍ ସମୟରେ କୋରାପୁଟ ଓ ସୁନାବେଡ଼ା ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ପ୍ରାୟ ୧୫ ସେକେଣ୍ଡ ଧରି ମାଟି କମ୍ପିଥିବାରୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ମପାଯାଇଛି ଏବଂ ଏହାର କେନ୍ଦ୍ରସ୍ଥଳ କୋରାପୁଟ ନିକଟରେ ଥିବା କୁହାଯାଉଛି । ଭୂକମ୍ପର ଗଭୀରତା ପ୍ରାୟ ୫ କି.ମି. ଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି କିମ୍ବା ସମ୍ପତ୍ତି କ୍ଷତିର ଖବର ମିଳିନାହିଁ । ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି । କୋରାପୁଟର ବୈପାରିଗୁଡ଼ା, ଲମତାପୁଟ, ସେମିଳିଗୁଡ଼ା, ପଟାଙ୍ଗି, ଦାମନଯୋଡ଼ି, ଜୟପୁର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।ସେପଟେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବିଶେଷ କରି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସ୍ଥିତ କୁଡୁମୁଲୁଗୁମ୍ମା,ମାଥିଲି ବ୍ଲକର ପାତ୍ରପୁଟ, କୋରୁକୋଣ୍ଡା ବ୍ଲକ୍ ଚିତାପାରି ପଞ୍ଚାୟତ ସଦାଶିବପୁର ଗ୍ରାମ ଓ ଚିତ୍ରକୋଣ୍ଡା ବ୍ଲକର କିଛି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି, ଏହା ପ୍ରାୟ ୬ ସେକେଣ୍ଡରୁ 8 ସେକେଣ୍ଡ ପର୍ଯ୍ୟନ୍ତ ହୋଇଥିଲା, ଏହା ଦ୍ୱାରା ବଡ଼ ଧରଣର କିଛି କ୍ଷତି ଘଟି ନଥିଲେ ମଧ୍ୟ ଘରର ଆସବାପତ୍ର ଓ ଖଟ, ଚେୟାର ବେଞ୍ଜ ଦୋହଲିବା ସହ ଘର ଚଟାଣ ଥରିଥିଲା, ବାସନ କୁସନ ଖସି ପଡ଼ିଥିଲା, ହଠାତ୍ ଘର ଥରିବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଥିଲେ । swadhikarswadhikar news Share