ଗାଡି ନମ୍ବର ପ୍ଲେଟରେ ଓଏଚ୍ଆର୍ସି ଓ ଓଡ଼ିଶା ପୋଲିସ ଲୋଗୋ, ଚଢ଼ାଉ ପାଇଁ STAର ନିର୍ଦ୍ଦେଶ By Swadhikar News Last updated Apr 8, 2026 ରାଜ୍ୟ ମାନବାଧିକାର କମିଶନ (OHRC) ଓ ଓଡ଼ିଶା ପୋଲିସ ନାଁରେ କେତେକ NGO ଲୋକଙ୍କୁ ଠକୁଛନ୍ତି। ଏହି ସଙ୍ଗଠନ ଗୁଡ଼ିକ ବ୍ୟକ୍ତିଗତ ଗାଡ଼ିର ନମ୍ବର ପ୍ଲେଟରେ ଓଏଚ୍ଆର୍ସି ଓ ଓଡ଼ିଶା ପୋଲିସ ଲୋଗୋ ଲଗେଇ ଏଭଳି କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ଓଏଚ୍ଆର୍ସି ଏହାକୁ ଗୁରୁତ୍ଵର ସହ ନେଇଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ OHRC ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ତତ୍ପର ହୋଇଛି। ଏପ୍ରିଲ ୪ରୁ ୧୦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଫିସରଙ୍କୁ STA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କରୁଥିବା ଗାଡି ମାଲିକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।ଏଭଳି କରି ସେମାନେ ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଠକୁଛନ୍ତି। ନମ୍ବର ପ୍ଲେଟ୍ରେ ଓଏଚ୍ଆର୍ସି ଏବଂ ଓଡ଼ିଶା ପୋଲିସର ଲୋଗୋ ସଦୃଶ ଚିହ୍ନ ଲଗାଇ ସେମାନେ ବେଆଇନ ଭାବେ ଘୁରିବୁଲୁଛନ୍ତି। ପୋଲିସ ଆଖିରୁ ସହଜରେ ଖସି ଯାଉଥିବାରୁ ଏନେଇ କିଛି ମାସ ତଳେ ଓଏଚ୍ଆର୍ସିରେ ଏକ ମାମଲା ରୁଜୁ ହୋଇଥିଲା। ଓଏଚ୍ଆର୍ସି ମାମଲାର ଶୁଣାଣି କରି ଏ ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ପୋଲିସ ଓ ଏସଟିଏକୁ ଆଦେଶ ଦେଇଥିଲେ। ଏପରିକି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେଣୁ ଏନେଇ କମିଶନଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ RTO ମାନଙ୍କୁ STA ପକ୍ଷରୁ ଚିଠି ଜରିଆରେ ନିର୍ଦ୍ଦେଶ ହୋଇଛି। ନମ୍ବର ପ୍ଲେଟ୍ରେ କେବଳ ଗାଡ଼ିର ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖାଯିବ ନାହିଁ। ୧୯୮୯ କେନ୍ଦ୍ରୀୟ ମୋଟର ଯାନ ନିୟମର ୫୦ ଓ ୫୧ ଧାରା ଅନୁଯାୟୀ ଏହା ପାଳନୀୟ ବୋଲି ଚିଠିରେ ଦର୍ଶାଯାଇଛି।ଓଡ଼ିଶାରେ ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଯାତ୍ରୀବାହୀ ଗାଡ଼ି ଉପରେ STA ପକ୍ଷରୁ କଟକଣା ଲଗାଯାଇଥିଲା। ଅନ୍ୟ ରାଜ୍ୟର ୧୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ବାଣିଜ୍ୟିକ ଯାତ୍ରୀବାହୀ ଗାଡ଼ି ଯଥା ବସ୍ ଇତ୍ୟାଦି (Commercial passenger) ଓଡ଼ିଶାରେ ମାଲିକାନା ପରିବର୍ତ୍ତନ କରିବା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟର ଖରାପମାନର ଯାତ୍ରୀବାହୀ ବାଣିଜ୍ୟିକ ଗାଡ଼ି ଓଡ଼ିଶାକୁ ମାଲିକାନା ପରିବର୍ତ୍ତନ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଫିସର, ଅତିରିକ୍ତ ଆଞ୍ଚଳିକ ପରିବହନ ଅଫିସର ଓ ସହକାରୀ ଆଞ୍ଚଳିକ ପରିବହନ ଅଫିସରଙ୍କୁ କିଛିଦିନ ତଳେ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୁଣା ଗାଡ଼ିକୁ ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରି ଗାଡ଼ିର ମାଲିକାନା ହସ୍ତାନ୍ତର ଓ କୌଣସି ଟିକସ ଗ୍ରହଣ ଉପରେ ବି ବାରଣ କରାଯାଇଥିଲା। swadhikarswadhikar news Share