ଆଜିଠୁ ବାହାର ରତ୍ନଭଣ୍ଡାର ଗଣତି ମଣତି; କେବଳ ରବିବାର ବନ୍ଦ, ବାହାର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ By Swadhikar News Last updated Apr 8, 2026 ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜି (ବୁଧବାର) ଏପ୍ରିଲ ୮ ତାରିଖଠୁ ଆରମ୍ଭ କରାଯିବ । ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ପାଇଁ ଅଧିକ ସମୟ ଆବଶ୍ୟକ ରହିଛି । ଏଣୁ ଆଗାମୀ ଦିନରେ ଶନିବାରରେ ମଧ୍ୟ ଗଣତି ମଣତି କାର୍ଯ୍ୟ କରାଯିବ । କେବଳ ରବିବାର ବନ୍ଦ ରହିବ । ରତ୍ନ ଭଣ୍ଡାର ଗଣତି ମଣତି ବେଳେ ଭକ୍ତମାନେ କେବଳ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଜଗମୋହନକୁ କେବଳ ପାଳିଆ ସେବକ ପ୍ରବେଶ କରିବେ । ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ୨୫ ତାରିଖରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚଳନ୍ତି ଭଣ୍ଡାର ଗଣତି କାର୍ଯ୍ୟ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବାହାର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ଏବଂ ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ଶୃଙ୍ଖଳିତ ନୀତି କାନ୍ତି ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଆଧାରରେ ଗତ ମାର୍ଚ୍ଚ ୨୫ ବୁଧବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବୁଧବାର ଏପ୍ରିଲ ୮ ଠାରୁ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ଯର ପୁନରାରମ୍ଭ ହୋଇ ଏପ୍ରିଲ ୧୧ ଯାଏଁ ଚାଲିବ । ପରେ 12 ତାରିଖ ବନ୍ଦ ରହିବ । ପୁନଃ ୧୩ ତାରିଖରୁ ୧୮ ତାରିଖ ପର୍ଯ୍ଯନ୍ତ ଚାଲୁ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଅବ୍ୟାହତ ରଖାଯିବ ଏବଂ ଅଧିକୃତ ପାଳିଆ ସେବକ ମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ ତଥା କଡା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଉକ୍ତ ଦିନ ମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ । ଏଣୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ବପରି ପୂର୍ଣ୍ଣ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ । ପରବର୍ତ୍ତୀ ଗଣତି ଦିନଗୁଡିକ ଏହି ପର୍ଯ୍ଯାୟ ପରେ ଘୋଷଣା କରାଯିବ ।“ମହାପ୍ରଭୁଙ୍କ ରତ୍ନ ପିଲଙ୍କ ତିଆରି ସରିଛି । ଏହାକୁ ମହାପ୍ରଭୁଙ୍କ କାର୍ଯ୍ଯରେ ଲଗାଇବାକୁ ନୀତି ସବ୍ କମିଟିରେ ନିଷ୍ପତ୍ତି ହୋଇଛି । ଆଗାମୀ ଏପ୍ରିଲ ୧୪ ତାରିଖରେ ଓଡ଼ିଆ ନବବର୍ଷ ଓ ମହାବୀର ଜୟନ୍ତୀ ଅବସରରେ ଏକ ଶୁଭ ମୂହୁର୍ତ୍ତ ସ୍ଥିର କରାଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ରତ୍ନ ପଲଙ୍କ ବ୍ୟବହାର କରାଯିବ । ତିନୋଟି ରତ୍ନ ପଲଙ୍କ ତିଆରି ହୋଇଛି । ରୂପା ଆଛାଦିତ କରାଯାଇ ରସୁଣ ପଲଙ୍କ ପ୍ରସ୍ତୁତ କରାଯାଇଛି । ପୁରୁଣା ରତ୍ନ ପଲଙ୍କଙ୍କୁ ନୀଳାଦ୍ରି ସଂଗ୍ରହାଳୟରେ ରଖାଯିବ,” ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ଚନ୍ଦନଯାତ୍ରାକୁ ନେଇ ପୂର୍ବରୁ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା କିଭଳି ସୁଚାରୁରୂପେ ଅନୁଷ୍ଠିତ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟାର ନୀତି ନିର୍ଘଣ୍ଟ ନେଇ ଆଲୋଚୋନା ହୋଇଥିଲା । ଏହା ସହିତ ଆଗାମୀ ଦିନରେ ଥିବା ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଗତ ଦିନରେ ଯେଭଳି ସବୁ ନିଯୋଗର କର୍ମକର୍ତ୍ତା ସହଯୋଗ କରିଥିଲେ ଚଳିତ ଥର ମଧ୍ୟ ସହଯୋଗ କରିବା ପାଇଁ ଆମେ କାମନା କରିଥିଲୁ । ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାହା ବ୍ୟବସ୍ଥା ହୋଇଥାଏ ତାହା କର୍ଯ୍ୟକାରୀ କରିବାକୁ ପୁରୀ ପୌରପାଳିକା, ପୋଲିସ, ଅଗ୍ନିଶମ ବାହିନୀକୁ କୁହାଯାଇଛି । ଚନ୍ଦନ ଯାତ୍ରା କିଭଳି ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ସବିଶେଷ ଆଲୋଚନା ହୋଇଥିଲା । swadhikarswadhikar news Share