ବିଜେଡିର ଅଭେଦ୍ୟ ଦୁର୍ଗ ଟଳି ପଡିବା ସ୍ଥିତିରେ ! ଗତକାଲି(ରବିବାର) ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ୮୦ଜଣ ଲୋକ ପ୍ରତିନିଧିଙ୍କ ସମେତ ଶତାଧିକ କର୍ମୀ । ବିଜୁ ବାବୁଙ୍କ ନାଁରେ ଅଣ କଂଗ୍ରେସ ଗଡ଼ ହୋଇ ରହିଆସିଥିବା ପାଟକୁରା ନିର୍ବାଚନ ମଣ୍ଡଳୀର ଦଳରୁ ନିଲମ୍ବିତ ଗରଦପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ବ୍ଲକ ଅଧିନରେ ବିଜୁ ଜନତା ଦଳର ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ପଞ୍ଚାୟତର ୱାର୍ଡ଼ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ଇସ୍ତଫା ଦେଇଛନ୍ତି ।ଗତ ଜାନୁଆରୀ ମାସ ୧୫ରେ ବିଜୁ ଜନତା ଦଳରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧି କାର୍ଯ୍ୟ, କର୍ମୀଙ୍କୁ ଅଣଦେଖା କରିଥିବା ଅଭିଯୋଗରେ ନିଲମ୍ବିତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ଦଳର ତୃଣମୂଳ ସ୍ତରର କର୍ମୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଶଙ୍ଖଭବନ ଯାଇ ହୋହଲ୍ଲା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ବିଧାୟକଙ୍କୁ ସମର୍ଥନ କରି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ତେବେ ପ୍ରାୟ ତିନିମାସ ଅପେକ୍ଷା କରିବା ଓ ନିଷ୍ପତ୍ତିର ପୁନଃ ବିଚାର କରାନଯିବାରୁ ଗତକାଲି(ରବିବାର) କର୍ମୀମାନେ ବିଧାୟକଙ୍କ ସହ ରହିବା ନିଷ୍ପତ୍ତି ନେଇ ବିଜେଡିର ପ୍ରାଥମିକ ସଦସ୍ୟରୁ ସାମୁହିକ ଇସ୍ତଫା ଦେଇଛନ୍ତି ।ଏନେଇ ପ୍ରତିକ୍ରିୟା ରଖି ଗରଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ ମହାରାଜ କହିଛନ୍ତି, ‘କୂଟଚକ୍ରାନ୍ତ କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାନରେ କୁହାଇ ରାଜନୀତିରେ ଶିଶୁ ଥିବା ବିଧାୟକଙ୍କୁ ଜାନୁଆରୀ ୧୫ରେ ଦଳରୁ ନିଲମ୍ବିତ କରାଗଲା । ଆମେ ଏହି ନିଷ୍ପତ୍ତି ବିରୋଧରେ ଦଳର ମୁଖିଆଙ୍କୁ ଭେଟିବା ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀର ୫୧ଟି ପଞ୍ଚାୟତର କର୍ମୀ ଓ ଲୋକ ପ୍ରତିନିଧି ଯାଇ ବିଫଳ ହେଲୁ । ଶଙ୍ଖ ଭବନ ଯାଇ ଅନୁରୋଧ ଜଣାଇଲୁ କିନ୍ତୁ ଅଦ୍ୟାବଧି ତାହାର କୌଣସି ବିଚାର କରାଗଲା ନାହିଁ । ତେଣୁ ବ୍ଲକ ଅଧିନସ୍ଥ ୧୮ଟି ପଞ୍ଚାୟତର ୮୦ ଜଣ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ଶତାଧିକ କର୍ମୀ, ମା’ ଓ ଭଉଣୀ ବିଜୁ ଜନତା ଦଳରୁ ସାମୁହିକ ଇସ୍ତଫା ଦେଇଛୁ । ଆଗାମୀ ଦିନରେ ବିଧାୟକଙ୍କ ସହ ରହିବୁ ବୋଲି ପ୍ରତିଜ୍ଞା କରିଛୁ ।’
