ଖୋର୍ଦ୍ଧା ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର ଓ ମିଥ୍ୟା ପ୍ରଚାରକୁ ନେଇ ସାଇବର ଥାନାରେ ଗତକାଲି (ସୋମବାର) ସନ୍ଧ୍ୟାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ, ମହିଳା ଓ ସଚେତନ ନାଗରିକମାନେ ଏକତ୍ରିତ ହୋଇ ଲିଖିତ ଅଭିଯୋଗ ଦେବା ସହ ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ଭିଡ଼ିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଭାଇରାଲ ହେଉଛି ବିଧାୟକଙ୍କ ଭିଡିଓ:
ନିର୍ବାଚନ ପୂର୍ବରୁ ଅର୍ଥାତ ଦୁଇବର୍ଷ ତଳେ କିଛି ବ୍ୟକ୍ତି ଛଣଗିରି ଠାରେ ହୋଇଥିବା ଏକ ସାଂଗଠନିକ ବିଶୃଙ୍ଖଳାର ସମାଧାନ ଓ ଭିଡ଼ା ଓଟରା ବେଳର ଦୃଶ୍ୟକୁ ସୋସିଆଲ ମିଡ଼ିଆରେ ପ୍ରସାରିତ କରି ଜନମାନସରେ ବିଭ୍ରାନ୍ତ କରାଯାଉଛି ବୋଲି ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିଧାୟକଙ୍କ ସମର୍ଥକ, ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ନେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମୀ ଖୋର୍ଦ୍ଧା ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ।ଘଟଣା ସମ୍ପର୍କରେ ଜିଲ୍ଲା ବିଜେପି ଉପସଭାପତି ଦିଲୀପ କୁମାର ହୋତା କହିଛନ୍ତି, ‘ବିଧାୟକଙ୍କ ବିରୋଧରେ କୁତ୍ସାରଟନା କରାଯାଉଛି ଯେଉଁଥିପାଇଁ ସମ୍ମାନ ହାନି ହେଉଛି । ଖୋର୍ଦ୍ଧାର ବିକାଶ ଧାରାକୁ ଅଟକାଇବା ପାଇଁ ବିରୋଧୀ ଚକ୍ରାନ୍ତ କରାଯାଉଛି । ଏଭଳି କରିବା ଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଛି । ଏଭଳି ହେଲେ ନିର୍ବାଚନ ମଣ୍ଡଳୀରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛୁ । ସେହିପରି ଅଭିଯୋଗ ସମ୍ପର୍କରେ ରାଜ୍ୟ ଆଇନମନ୍ତ୍ରୀ, ଜିଲ୍ଲାପାଳ, ଏସପିଙ୍କ ନଜରକୁ ଅଣାଯାଇଥିବା କହିଛନ୍ତି ।
