ମହାନଦୀ ଟ୍ରିବ୍ୟୁନାଲ୍, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ ର ଅବଧି ଆଉ ୯ ମାସ ବଢ଼ାଇ ଦେଇଛନ୍ତି। ଏବେ ଟ୍ରିବ୍ୟୁନାଲ୍ ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ନୂତନ ଅବଧି ମଧ୍ୟରେ ଆସନ୍ତାକାଲି ଅର୍ଥାତ୍ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ।
କେନ୍ଦ୍ରର ମଧ୍ୟସ୍ଥତାରେ ଖୁବଶୀଘ୍ର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର ସମ୍ଭାବନା ଅଛି ବୋଲି କହିଛନ୍ତି ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ । ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ଅନେକ ବ୍ୟାରେଜ୍ ନିର୍ମାଣ କରିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ଫଳରେ ଚାଷ ଓ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ଅନ୍ୟପଟେ ନିଜ ରାଜ୍ୟର ବିକାଶ ପାଇଁ ସେମାନେ ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି ବୋଲି ଛତିଶଗଡ଼ ଯୁକ୍ତି କରିଛି ।
୨୦୧୮ରେ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ କରାଗଲା। ୨୦୨୪ରେ ଚେୟାରମ୍ୟାନ୍ ପଦ ଖାଲି ରହିବାରୁ ୯ ମାସ କାମ ବନ୍ଦ ରହିଥିଲା । ୨୦୨୬ରେ ଦୁଇ ରାଜ୍ୟର ଅନୁରୋଧ କ୍ରମେ ଜଳଶକ୍ତି ମନ୍ତ୍ରଣାଳୟ ଟ୍ରିବ୍ୟୁନାଲ୍ ର ସମୟ ସୀମା ବଢ଼ାଇଲେ। ୨୦୨୭ ଜାନୁଆରୀରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଏହାକୁ ଶେଷ ସମୟ ସୀମା ଭାବେ ଧାର୍ଯ୍ୟ କରାଯାଇଛି। ଏବେସୁଦ୍ଧା ପ୍ରାୟ ୪୯ଟି ଶୁଣାଣି ହୋଇସାରିଛି। ବର୍ତ୍ତମାନ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲିର ଶୁଣାଣିରେ ଦୁଇ ରାଜ୍ୟର ସୀମା ବୁଲି ଦେଖିଥିବା ଟ୍ରିବ୍ୟୁନାଲ୍ ଟିମ୍ ର ରିପୋର୍ଟ ଓ ଆଗାମୀ ରୋଡମ୍ୟାପ୍ ଉପରେ ଆଲୋଚନା ହେବ।
