Odia News Portal

କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢାଯିବ ବାଲି, ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ

କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢାଯିବ ବାଲି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ୍ ଲ୍ୟାବକୁ ପଠାଯାଇଥିଲା । ବାଲିଗୁଡିକ ପୂର୍ବପରି ସୁରକ୍ଷିତ ରହିଛି । ବାଲି କାଢିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଚୂଡାନ୍ତ ମ୍ୟାପିଂ କରାଯାଉଛି ।ସେକ୍ସନ ଡ୍ରଇଂ ଅନୁଯାୟୀ, ମନ୍ଦିରର ୮୦ ଫୁଟ୍ ଉଚ୍ଚରେ ପଶ୍ଚିମ ପାର୍ଶ୍ବ କାନ୍ଥରେ ୧୬ ସେଣ୍ଟିମିଟର ଟନେଲ ଖୋଳାଯିବ । ସୁରକ୍ଷା ଦୃଷ୍ଟିରୁ ଟନେଲ ମଧ୍ୟରେ ମଣିଷ ପ୍ରବେଶ କରିବେ ନାହିଁ । ଅଟୋମେଟିକ୍ ରୋବଟିକ୍ ଟ୍ରଲି ପ୍ରବେଶ କରି ଗର୍ଭଗୃହରୁ ବାଲି ସଂଗ୍ରହ କରି ତଳକୁ ଆଣିବ । ଏନେଇ ସମସ୍ତ ବୈଷୟିକ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବାଲିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ଅଣାଯାଇ ପାଇପ୍ ସାହାଯ୍ୟରେ ମନ୍ଦିରର ଉତ୍ତରପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବ। ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏସମସ୍ତ ପ୍ରକ୍ରିୟା ଚାଲିବ ବୋଲି କହିଛନ୍ତି ଏଏସଆଇ ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାସ।