Odia News Portal

ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଭୟରେ ବଗିରୁ ଡେଇଁଲେ ଯାତ୍ରୀ

ଆଜି ସକାଳେ ତେଲେଙ୍ଗାନାର ଆଲେର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ତେଲେଙ୍ଗାନାର ଭୁବନଗିରି ଜିଲ୍ଲାରେ ଥିବା ଅଲେର ରେଲୱେ ଷ୍ଟେସନ୍ ନିକଟରେ ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଧୂଆଁ ଦେଖିବା ମାତ୍ରେ ରେଲୱେ କର୍ମଚାରୀମାନେ ତୁରନ୍ତ ଆଲେର ଷ୍ଟେସନ୍ ନିକଟରେ ଟ୍ରେନକୁ ଅଟକାଇ ଦେଇଥିଲେ  ।

ସୂଚନାନୁଯାୟୀ, ପ୍ରଥମେ ଟ୍ରେନ୍ ର କୋଚ୍ S5 ରେ ନିଆଁ ଲାଗିଥିଲା । ହଠାତ୍ ଧୂଆଁ ଦେଖି ଲୋକମାନେ ଆତଙ୍କିତ ହୋଇପଡିଥିଲେ । ଫଳରେ କିଛି ଯାତ୍ରୀ ନିଜ ଜୀବନ ବଞ୍ଚାଇବାକୁ ଟ୍ରେନରୁ ଡେଇଁ ପଡିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ କର୍ମଚାରୀ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା ଜାରି ରହିଛି । ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କିନ୍ତୁ ତଦନ୍ତ ପରେ ହିଁ ଏହା ନିଶ୍ଚିତ ହୋଇପାରିବ । ଏହି ଘଟଣାରେ କୌଣସି ଆହତ ହୋଇଥିବା ସୂଚନା ମିଳିନାହିଁ । ଏଥିସହିତ ରେଳବାଇ ଏପର୍ଯ୍ୟନ୍ତ ସୁଦ୍ଧା ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି ।