Odia News Portal

ମୟୂରଭଞ୍ଜ ଆଦିବାସୀ ନାବାଳିକା ହରିୟାଣାରୁ ଉଦ୍ଧାର, ଚାକିରି ଲୋଭ ଦେଖାଇ ବିକ୍ରି କରିଥିଲା ଦଲାଲ୍‌

ଚାକିରି ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି ହୋଇଥିବା ଆଦିବାସୀ ନାବାଳିକାଙ୍କୁ ହରିୟାଣାରୁ ଉଦ୍ଧାର କରିଛି ମୟୂରଭଞ୍ଜର ସ୍ବତନ୍ତ୍ର ପୋଲିସ । ଗତ 5 ବର୍ଷ ତଳେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡ଼ିମୁଣ୍ଡି ଗାଁର ଜଣେ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି କରିଥିଲା ମହିଳା ଦଲାଲ୍‌ । ନାବାଳିକା ହରିୟାଣାରେ ଥିବା ଖବର ପାଇବା ପରେ ଗତକାଲି(ସୋମବାର) ସେଠାରୁ ଉଦ୍ଧାର କରି ଓଡ଼ିଶା ଆଣୁଛି ମୟୂରଭଞ୍ଜର ସ୍ବତନ୍ତ୍ର ପୋଲିସ ଟିମ୍‌ ।ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି କହିଛନ୍ତି, ‘ଗୋରୁମହିଷାଣୀ ଥାନାରେ କେସ୍‌ ନମ୍ବର 45/2026ରେ ଏକ ମାମଲା ରୁଜୁ ହୋଇଥିଲା । ଜଣେ ନାବାଳିକାଙ୍କୁ ଦିଲ୍ଲୀ-ହରିୟାଣା ସୀମା ଅଞ୍ଚଳରେ ଠାବ କରାଯାଇଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ନାବାଳିକାଙ୍କୁ ଉଦ୍ଧାର ପାଇଁ ହରିୟାଣା ଗସ୍ତ କରିଥିଲେ । ନାବାଳିକାଙ୍କୁ ଓଡ଼ିଶା ଅଣାଯାଉଛି । ଗତ ୫ ବର୍ଷ ତଳେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡ଼ିମୁଣ୍ଡି ଗାଁର ଜଣେ ନାବାଳିକାଙ୍କୁ ଜଣେ ଅଜଣା ମହିଳା ଦଲାଲ ଚାକିରି ପ୍ରଲୋଭନ ଦେଖାଇ ଝାଡ଼ଖଣ୍ଡ ଅଞ୍ଚଳ ନେଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ନେଇ ସେଠାରେ ବିକ୍ରି କରି ଦେଇଥିଲେ । ୫ ବର୍ଷ ପରେ ନାବାଳିକା ପରିବାର ଲୋକଙ୍କୁ ଫୋନ କରି ଘଟଣା ବାବଦରେ ଜଣାଇଥିଲା । ଏନେଇ ପରିବାର ଲୋକ ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାକୁ ନେଇ ଗତ ଶନିବାର ରାତିରେ ଗୋରୁମହିଷାଣୀ ଥାନା ପୋଲିସର ଏଏସଆଇ ବିକାଶ ରଞ୍ଜନ ନାୟକ ଓ ଶକୁନ୍ତଳା ସିଂ ସମେତ ନାବାଳିକାଙ୍କ ବାପା ଓ ମା’ ଦିଲ୍ଲୀ ଯାତ୍ରା କରିଥିଲେ ।ଗତକାଲି (ସୋମବାର) ଦିଲ୍ଲୀରେ ପହଞ୍ଚିବା ପରେ ନାବାଳିକା ଜଣକ ହରିୟାଣାର ଭିୱାନୀ ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ହରିୟାଣା ପୋଲିସ ସହାୟତାରେ ଯୁବତୀଙ୍କୁ ଭିୱାନୀ ଅଞ୍ଚଳରେ ଜଣେ ଧନୀ ବ୍ୟକ୍ତିଙ୍କ ଘରୁ ଉଦ୍ଧାର କରାଯାଇଛି । ସେଠାରେ ଯୁବତୀ ଜଣକ ୫ ବର୍ଷ ହେବ ନଜରବନ୍ଦୀରେ ରହି ଦାଦନ ଖଟୁଥିଲେ ।