ଜମା ଟଙ୍କା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍ ରେ ପହଁଚିଲେ ଭାଇ । କହିଲେ କଙ୍କାଳ ଆଣିଛି ଟଙ୍କା ଦିଅ । ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ନେଇ ସବୁଠି ଚର୍ଚ୍ଚା । ସାମାନ୍ୟ କିଛି ହଜାର ଟଙ୍କା ହୁଏତ ଅନେକଙ୍କ ନିମନ୍ତେ ମୂଲ୍ୟହୀନ ହୋଇଥାଇପାରେ, କିନ୍ତୁ ଏକ ଗରିବ ବ୍ୟକ୍ତି ପାଇଁ ଏହା ଆଉ କିଛି ଦିନ ଜିଇଁବାର ଆଶା ଓ ଭରସା । ଏହି ଭରସା ଟିକକ ପାଇଁ ଆଜି ପରିଣତ ବୟସରେ ମଧ୍ୟ ଜଣେ ବ୍ୟକ୍ତି, ଦୁଇମାସ ପୂର୍ବେ ମୃତ ଘଟିଥିବା ନିଜ ଭଉଣୀଙ୍କ ମାଟିର ପୋତା ଯାଇଥିବା ଶବକୁ ଧୁଧୁ ଖରାରେ ନିଜ କାନ୍ଧରେ ପ୍ରାୟ ୩କିମି ବୋହି ବ୍ୟାଙ୍କ୍ ନିକଟରେ ପହଞ୍ଚିଥିଲେ । ମୃତ ଭଉଣୀ କଲରା ମୁଣ୍ଡାଙ୍କ ନାମରେ ୨୦ ହଜାର ଟଙ୍କା ବ୍ୟାଙ୍କରେ ଜମା ଥିଲା । ଏହି ଟଙ୍କା ନେବାକୁ ତାଙ୍କ ଭାଇ ଜିତୁ ବ୍ୟାଙ୍କକୁ ଆସିଥିଲେ । ଯାହା ନାମରେ ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ ବୋଲି ବ୍ୟାଙ୍କର ଶାଖା ପରିଚାଳକ ରୋକ୍ ଠୋକ୍ ଶୁଣାଇଦେଇଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଜିତୁ ମୁଣ୍ଡା ଗାଁ ଶ୍ମଶାନକୁ ଯାଇ ପୋତାଯାଇଥିବା ଭଉଣୀର କଙ୍କାଳକୁ କାନ୍ଧରେ ପକାଇ ମଲ୍ଲୀପସି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଚାଲି ଚାଲି ଆସିଥିଲେ । କଙ୍କାଳକୁ ବ୍ୟାଙ୍କ ବାରଣ୍ଡାରେ ରଖି ଜମା ଥିବା ଟଙ୍କା ଦେବାକୁ ଦାବି କରିଥିଲେ । ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଭଉଣୀର କଙ୍କାଳ ଦେଖାଇ ଜମା ଟଙ୍କା ନେବାକୁ କହି ଚର୍ଚ୍ଚାରେ ପାଟଣା ବ୍ଳକ ଡିଆନାଳି ଗାଁର ଜିତୁ ମୁଣ୍ଡା । ଏହି ଘଟଣା ପ୍ରଶାସନିକ ଏବଂ ବ୍ୟାଙ୍କିଙ୍ଗ ପ୍ରକ୍ରିୟାରେ ଥିବା ଜଟିଳତା ଯୋଗୁଁ ସାଧାରଣ ଲୋକେ କିଭଳି ହଇରାଣ ହେଉଛନ୍ତି, ତାହାର ଏକ ବଡ଼ ଉଦାହରଣ । କେବଳ ରାଜ୍ୟ ନୁହେଁ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଜିତୁ ମୁଣ୍ଡା ।
