Odia News Portal

ରକ୍ତ ରଞ୍ଜିତ ହେଲା BJB କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ; ଆଲୋଚନା ବେଳେ ଚାମ୍ବରରେ ପଶି 2 ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବକ୍ସି ଜଗବନ୍ଧୁ ବିଦ୍ୟାଧର (BJB) ମହାବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି । କମେଣ୍ଟ ମରିବାକୁ କେନ୍ଦ୍ର କରି କଲେଜରେ 2 ଛାତ୍ର ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଗତକାଲି (ଗୁରୁବାର) ଅଧ୍ୟକ୍ଷଙ୍କ ଚାମ୍ବରରେ ପଶି କେତେକ ଛାତ୍ର ଅନ୍ୟ କିଛି ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଦୁଇ Master of Laws (LLM) ଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଦ୍ୱୟ ହେଲେ ମଲ୍ଲିକ ସମିମ୍ ଅଖତର୍ ଓ ଯୋଗେଶ ଚନ୍ଦ୍ର ଜେନା । ଉଭୟ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଆହତ ଛାତ୍ରଙ୍କ ସହିତ କ୍ୟାପିଟାଲ ହସ୍ପିଟାଲରେ ଉପସ୍ଥିତ ଥିବା ଯୁକ୍ତ-୩ ଦ୍ଵିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ସିଂଙ୍କ କହିଛନ୍ତି, “ବହୁତ ଦିନ ହେବ କିଛି ଛାତ୍ର ଆମକୁ କମେଣ୍ଟ ମାରୁଥିଲେ । ଏପ୍ରିଲ ୨୨ରେ ଯୁକ୍ତ-୩ ପ୍ରଥମ ବର୍ଷର ପରୀକ୍ଷା ସରିବା ପରେ ଆମେ ବିଜ୍ଞାନ ବ୍ଲକରେ ଥିଲୁ । ସେଠାରେ ଆମକୁ ବାରମ୍ବାର ଉକ୍ତ ଛାତ୍ରମାନେ କମେଣ୍ଟ ମାରିଚାଲିଥିଲେ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ଯ କରିଥିଲେ । ଏହା ଅସହ୍ୟ ହେବାରୁ ଆତ୍ମ ସୁରକ୍ଷା ପାଇଁ ଆମେ ପିଜି ଛାତ୍ର ଅଭିଜିତ ଦେବତାଙ୍କୁ ମାଡ଼ ମାରିଥିଲୁ । ଏହା ପରେ ଉକ୍ତ ଛାତ୍ରକୁ ପିସିଆର୍‌ ଡ଼ାକି ପୋଲିସ ଜିମାରେ ଦେଇଥିଲୁ ।”ସୌମ୍ୟାଶ୍ରୀ ଆହୁରି କହିଛନ୍ତି, “ପରବର୍ତ୍ତୀ ସମୟରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ଅନୁରୋଧ କରାଯିବା ପରେ ଆମେ ଆପୋସ ସମାଧାନ କରିଥିଲୁ । କିନ୍ତୁ ପରେ ଅଭିଜିତ ଆମ ନାଁରେ Internal Complaints Committee (ICC)ରେ ଅଭିଯୋଗ ଦେଇଥିଲେ । ଆମେ ତାଙ୍କର ସୁନା ଚେନ୍ ଚୋରି ଓ ରାଗିିଂ ସହ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ଏହାପରେ ICC ଆମକୁ (ଛାତ୍ରୀଙ୍କୁ) ଡକାଇ ୪ ଦିନ ହେବ ପ୍ରମାଣ ମାଗିବା ସହିତ ନିର୍ଯାତନା ଦେଇଥିଲା । ଆମକୁ କମେଣ୍ଟ ମରାଯିବାର ପ୍ରମାଣ ନ ଦେଇ ପାରିଲେ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ICC ପକ୍ଷରୁ କୁହାଯାଇଥିଲା ।”ତେବେ ICCର ଏହି ନିଷ୍ପତ୍ତିକୁ ନେଇ ଗତକାଲି ଅପରାହ୍ନ ପ୍ରାୟ ୨ଟା ୩୦ ବେଳେ ସିନିୟର ଛାତ୍ର ଯୋଗେଶ ଓ ସମିମ୍ ସହ ଅଧ୍ୟକ୍ଷଙ୍କ କୋଠରୀରେ ଆଲୋଚନା କରାଯାଉଥିଲା । ଏହି ସମୟରେ କିଛି ଛାତ୍ରମାନେ ଚାମ୍ବର ଭିତରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି ଛାତ୍ରୀ ଜଣକ କହିଛନ୍ତି । ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୌମ୍ୟାଶ୍ରୀ ଦାବି କରିଛନ୍ତି ।ଏହି ଘଟଣାକୁ ବିଜୁ ଛାତ୍ର ଜନତା ଦଳ କଡ଼ା ନିନ୍ଦା କରିଛି । ଏହା ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧ୍ୱଂସ କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଦଳ ଅଭିଯୋଗ କରିଛି । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେପି ସରକାର ଉପରେ ବର୍ଷିଛନ୍ତି ।ଇପ୍ସିତା ସାହୁ କହିଛନ୍ତି, “ଦିନକୁ ଦିନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ଧ୍ୱଂସ ହେବା ସହିତ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଜେପି ଶାସନରେ କୌଣସି ଶିକ୍ଷାନୁଷ୍ଠାନ ସୁରକ୍ଷିତ ନାହିଁ । ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଅଧ୍ୟକ୍ଷାଙ୍କ ଚାମ୍ବରରେ ଆଲୋଚନା ଚାଲିଥିଲା ବେଳେ ହଠାତ ୩୦ରୁ ଅଧିକ ଦୁବୃର୍ତ୍ତ ପଶି ଆସି ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ରକ୍ତ ରଞ୍ଜିତ ହୋଇଛି । 2 ଜଣ ଆଇନଜୀବୀ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛନ୍ତି । ସେମାନେ ହେଲେ ଯୋଗେଶ ଜେନା ଓ ସମିମ୍ ଅଖତାର । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।”