Odia News Portal

୧୩ ଘଣ୍ଟା ୪୫ ମିନିଟ ଚାଲିଲା ସ୍ବତନ୍ତ୍ର ଅଧିବେଶନ; ତୃତୀୟ ରାଜ୍ୟ ଭାବେ ଓଡିଶାରେ ମହିଳା ସଂରକ୍ଷଣ ପ୍ରସ୍ତାବ ପାରିତ

ଦୀର୍ଘ ୧୩ ଘଣ୍ଟା ୪୫ ମିନିଟ ଧରି ଚାଲିଲା ଓଡିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨.୪୫ ପର୍ଯ୍ୟନ୍ତ ଚଲିଥିଲା । ଅଧିବେଶନରେ ‘ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଅଂଶଗ୍ରହଣ’ ସମ୍ପର୍କରେ ଗଭୀର ଆଲୋଚନା ହୋଇଛି । ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ପରେ ଓଡିଶା ବିଧାନସଭାରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ ସଂକଳ୍ପନାମା ପାରିତ ହୋଇଛି । ସମୟ, ଉଦ୍ଦେଶ୍ୟ ଓ ରାଜନୈତିକ ବିଶ୍ୱସନୀୟତାକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ତୀବ୍ର ଯୁକ୍ତିତର୍କ ପରେ ଏହି ସଂକଳ୍ପନାମା ପାରିତ ହୋଇଛି । ଏହା ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଗତ ପ୍ରସ୍ତାବରେ କୁହାଯାଇଛି, “ମହିଳାଙ୍କ ସାମଗ୍ରିକ ବିକାଶ ତଥା ସଶକ୍ତୀକରଣ ପାଇଁ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବା ପରେ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ସଂରକ୍ଷଣ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ ।”ଗୃହରେ ଆଲୋଚନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, “ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି କ୍ଷମତାରେ ରହିବା ସତ୍ତ୍ୱେ କଂଗ୍ରେସ ଓ ବିଜେଡି ମହିଳାଙ୍କୁ ସେମାନଙ୍କର ଉପଯୁକ୍ତ ରାଜନୈତିକ ଅଧିକାରରୁ ବଞ୍ଚିତ କରିଛି । ଏହା ଅଧା ଜନସଂଖ୍ୟା ବିରୋଧରେ ଅନ୍ୟାୟ । ଓଡିଶା ବର୍ତ୍ତମାନ ମହିଳା ସଶକ୍ତୀକରଣ ପାଇଁ ଛିଡ଼ା ହୋଇଛି । ଯଦି ଠିକ ସମୟରେ ନିଷ୍ପତ୍ତି ନିଆଯାଇଥାନ୍ତା, ତେବେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ଦ୍ୱିଗୁଣିତ ହୋଇଥାନ୍ତା । ମହିଳାଙ୍କୁ ସେମାନଙ୍କର ଉପଯୁକ୍ତ ଅଂଶ ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ସାମ୍ବିଧାନିକ ସଂଶୋଧନ ଓ ସୀମା ପୁନଃନିର୍ଦ୍ଧାରଣ ବିନା ଏହା ସମ୍ଭବ ନୁହେଁ । ବିରୋଧୀ ଦଳ ସଂକଳ୍ପ ମଧ୍ୟରେ ଥିବା ବିଳମ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି । ମହିଳାମାନଙ୍କୁ ୨୦୨୩ ମସିହା ନିଷ୍ପତ୍ତି ଆଧାରରେ ସଂରକ୍ଷଣ ଦରକାର । ୨୦୨୯, ୨୦୩୬ କିମ୍ବା ୨୦୪୭ରେ ନୁହେଁ ।”ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶା ବିଧାନସଭା ଇତିହାସର ଏକ ସ୍ମରଣୀୟ ଅଧ୍ୟାୟ । ସ୍ୱତନ୍ତ୍ର ଅଧିବେଶନରେ ବିଧାନସଭାର ସଦସ୍ୟ ଓ ସଦସ୍ୟା ‘ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଅଂଶଗ୍ରହଣ’ ସମ୍ପର୍କରେ ଗଭୀର ଆଲୋଚନା କରିଛନ୍ତି । ଗୃହରେ ଯେଉଁ ଗୁଣାତ୍ମକ ଓ ଗଠନମୂଳକ ଆଲୋଚନା ହୋଇଛି, ତାହା ଆମ ଗଣତନ୍ତ୍ରର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗଦର୍ଶନ । ଆମ ସଂସ୍କୃତିରେ ନାରୀର ସମ୍ମାନ ହିଁ ସମାଜର ପ୍ରଗତି ଓ ସଂସ୍କାରର ପ୍ରକୃତ ପରିଚାୟକ । ଆମ ଶାସ୍ତ୍ରରେ ଉଲ୍ଲେଖ ଅଛି – ‘ନାରୀ ଅସ୍ୟ ସମାଜସ୍ୟ କୁଶଳା ବାସ୍ତୁକାରିଣୀ’ । ଅର୍ଥାତ, ନାରୀ ହିଁ ସମାଜର ପ୍ରକୃତ ଶିଳ୍ପୀ ଓ ନିର୍ମାତା । ସେମାନଙ୍କର ତ୍ୟାଗ ଓ ସଂସ୍କାର ଉପରେ ହିଁ ଏକ ଆଦର୍ଶ ସମାଜର ସ୍ଥାପନା ହୋଇଥାଏ । ପ୍ରାଚୀନ ବୈଦିକ ଯୁଗରେ ମହିଳାମାନେ ଜ୍ଞାନର ପ୍ରତୀକ ଥିଲେ । ଭାରତୀୟ ସଂସ୍କୃତିର ମହାନ ପରମ୍ପରାକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଜରିଆରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।