Odia News Portal

୫ରାଜ୍ୟ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରତିକ୍ରିୟା; ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ଆରଜି କର ମେଡିକାଲ ପୀଡିତାଙ୍କ ମା’ ଆଗୁଆ; ଭବାନୀପୁରରେ ମିଠା ବାଣ୍ଟିଲା ବିଜେପି

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ପ୍ରତିଦ୍ବନ୍ଦ୍ବିତାଠାରୁ ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍‌ ଓ ୟୁଡିଏଫ୍‌ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କାହାର ହେବ ବାଜିମାତ୍‌ ସେ ନେଇ ସମସ୍ତଙ୍କ ନଜର ରହିଛି। ସୋମବାର ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ୮୨୩ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ପଶ୍ଚିମବଙ୍ଗର ଫାଲଟାକୁ ଛାଡ଼ି ୨୯୩ ଆସନ, ତାମିଲନାଡ଼ୁର ୨୩୪ ଆସନ, କେରଳର ୧୪୦, ଆସାମର ୧୨୬ ଓ ପୁଡୁଚେରୀର ୩୦ ଆସନରେ ସକାଳ ୮ଟାରୁ ଭୋଟ ଗଣନା ହେବ। ଏଥିପାଇଁ ନିର୍ବାଚନ ଆୟୋଗ(ଇସି)ଙ୍କ ପକ୍ଷରୁ ଏହି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ତାମିଲନାଡୁରେ ଇସି ଶନିବାର କହିଛନ୍ତି ଯେ, ଗଣନା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ, ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧,୦୦,୦୦୦ ସୁରକ୍ଷା କର୍ମୀ ନିୟୋଜିତ ହେବେ। କେବଳ ଚେନ୍ନାଇରେ ପ୍ରାୟ ୨୦,୦୦୦ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି। ପଶ୍ଚିମବଙ୍ଗରେ ଏକଜିଟ୍ ପୋଲଗୁଡ଼ିକ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାକୁ ସୂଚାଇଛି। ଅନେକ ୨୯୪ ସଦସ୍ୟ ବିଶିଷ୍ଟ ଗୃହରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରିଛନ୍ତି। ଭବାନୀପୁର, ନନ୍ଦୀଗ୍ରାମ ଏବଂ ଭାଙ୍ଗର ଭଳି ପ୍ରମୁଖ ଆସନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତିର ଦିନକ ପୂର୍ବରୁ ଉତ୍ତର ୨୪ ପରଗଣା ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ଘଟଣାରେ ରବିବାର ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାଟି ନୋଆପାରା ନିର୍ବାଚନମଣ୍ଡଳୀରେ ମଧ୍ୟରାତ୍ରିରେ ଘଟିଥିଲା, ଯେଉଁଠାରେ ବିଜେପି କର୍ମକର୍ତ୍ତା କୁନ୍ଦନ ସିଂହ ଅଭିଯୋଗ କରିଛନ୍ତି ଯେ ଅଜ୍ଞାତ ବନ୍ଧୁକଧାରୀମାନେ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି।