ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ବିଜୟ ସହ କେ ବିଜୟ ଧାମୁଙ୍କ ବିଜୟ ମଧ୍ୟ ସମସ୍ତଙ୍କୁ ଚକ୍କିତ କରିଛି। କେ ବିଜୟ ଧାମୁ ହେଉଛନ୍ତି ବୃତ୍ତିରେ ଜଣେ ଅଟୋ ଡ୍ରାଇଭର। ରୋୟାପୁରମ ବିଧାନସଭା ନିର୍ବାଚନମଣ୍ଡଳୀରେ ସେ ରାଜ୍ୟର ସବୁଠାରୁ ୨ ଜଣ ଟାଣୁଆ ରାଜନେତାଙ୍କୁ ହରାଇ ଦେଇଛନ୍ତି। ବିଜୟ ଧାମୁ ଉକ୍ତ ଆସନରେ ୫୫,୦୦୦ରୁ ଅଧିକ ଭୋଟ୍ ପାଇବା ସହ ତାଙ୍କ ନିକଟ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୧୪ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ଏହି ବିଜୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଏଆଇଏଡିଏମ୍କେ ହେଭିୱେଣ୍ଟ୍ ଏବଂ ୫ ଥର ବିଧାୟକ ହୋଇଥିବା ଡି ଜୟକୁମାର ରୋୟାପୁରମ ଆସନରେ ତୃତୀୟ ସ୍ଥାନରେ ରହିଥିବାବେଳେ ଡିଏମ୍କେର ସୁବେର ଖାନ୍ ତଥା ସ୍ବର୍ଗତ ମନ୍ତ୍ରୀ ରେହମାନ ଖାନ୍ଙ୍କ ପୁଅ ଉକ୍ତ ଆସନରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।ଚେନ୍ନାଇ ସମେତ ସମଗ୍ର ତାମିଲନାଡ଼ୁରେ ବିଜୟ ଲହରୀ ଭସାଇ ନେଇଛି। ବିଜୟଙ୍କ ଫ୍ୟାନ୍ କ୍ଲବ୍ ନେଟୱର୍କ ବିଜୟ ମକ୍କଲ ଇୟାକ୍କମର ଏକ ଅଂଶ ଭାବେ ଦୀର୍ଘ ଦିନ ରହିଥିବା ଧାମୁ ଜଣେ ସାଧାରଣ ବ୍ୟକ୍ତି ଭାବେ ନିଜର ପରିଚୟ ସହ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ। ପ୍ରଚାର ସମୟରେ ସେ କହିଥିଲେ, ଆପଣମାନେ ଆମକୁ ନୂଆ ଚେହେରା କହିପାରନ୍ତି କିନ୍ତୁ ଆମେ ଆମ ଫ୍ୟାନ୍ କ୍ଲବ୍ ଦ୍ବାରା ବର୍ଷବର୍ଷ ଧରି ତୃଣମୂଳ ସ୍ତରରେ କାମ କରୁଛୁ। ରୋୟାପୁରମ୍ରେ ବିଜୟଙ୍କ ବିଜୟ ଏଆଇଏଡିଏମ୍କେ ପାଇଁ ଏକ ଶକ୍ତ ଧକ୍କା। କାରଣ ୧୯୯୧ରୁ ଏହି ଆସନ ପାରମ୍ପରିକ ଭାବେ ଜୟକୁମାରଙ୍କ ଗଡ଼ ଥିଲା।
