Odia News Portal

ଟ୍ଵିନ ସିଟିରେ ଦୂର ହେବ ଟ୍ରାଫିକ ସମସ୍ୟା ! ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଦୂର ହେବ ଟ୍ଵିନ ସିଟି ଭୁବନେଶ୍ୱର ଓ କଟକରେ ବିଭିନ୍ନ ଛକରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟା । ନିଆଯିବ ଦୀର୍ଘକାଳୀନ ଭିତ୍ତିରେ ସମାଧାନ ପାଇଁ ପଦକ୍ଷେପ । ଗତକାଲି(ମଙ୍ଗଳବାର) ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଉନ୍ନୟନ କମିଶନର ଦେଓରଂଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଯୋଜନା ଓ ସଂଯୋଜନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଶୀଘ୍ର ପ୍ରତିକାରତ୍ମକ ବ୍ୟବସ୍ଥା ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।ଭୁବନେଶ୍ୱର-କଟକ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଫଳରେ ଜନସାଧାରଣ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃ​ଷ୍ଟିରେ ରଖି ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କମିଟିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ଟ୍ୱିନ ସିଟି ପୋଲିସ କମିଶନର, କ୍ରୁଟର ପରିଚାଳନା ନିର୍ଦ୍ଦେଶକ, ବିଏମସି କମିଶନର, ବିଡ଼ିଏ ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ.ର ପରିଚାଳନା ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ(ସଡ଼କ-୧) ପ୍ରମୁଖ ସଦସ୍ୟ ରହିଥିବା ବେଳେ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ସଦସ୍ୟ ଆବାହକ ଅଛନ୍ତି ।ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ବୈଠକରେ ଭୁବନେଶ୍ୱର ସହରର ଟ୍ରାଫିକ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା ହୋଇଛି । ବୈଠକରେ ଭୁବନେଶ୍ୱରର ରବି ଟକିଜ ଛକ, ମାଉସୀମା ମନ୍ଦିର ଛକ, ଶିଶୁ ଭବନ ଛକ, ମ୍ୟୁଜିୟମ ଛକ, କଳ୍ପନା ଛକ, ଜୟଦେବ ବିହାର ଛକ, ଏଜି ଛକ, କିଟ ଛକ, କଳିଙ୍ଗ ହସ୍ପିଟାଲ ଛକ, ରାଜମହଲ ଛକ ଆଦି ଛକରେ ରହୁଥିବା ଟ୍ରାଫିକ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଉପସ୍ଥିତ କମିଟିର ସଦସ୍ୟମାନେ ବିସ୍ତୃତ ଆଲୋଚନା ହୋଇଛି । ବିଭିନ୍ନ ଛକ ଜାଗା ମାନଙ୍କରେ ପ୍ରଥମେ ଟ୍ରାଫିକ ସମସ୍ୟାର ଅସ୍ଥାୟୀ ସମାଧାନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଦୀର୍ଘକାଳୀନ ଭିତ୍ତିରେ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଛି । ଉନ୍ନୟନ କମିଶନର ଏହି ପରିପ୍ରେକ୍ଷୀରେ ବିଡିଏ, ପୂର୍ତ୍ତ ବିଭାଗ, ବିଏମସି, ପୋଲିସ, ଟ୍ରାଫିକ ପୋଲିସ ତରଫରୁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ଛକ ମାନଙ୍କରେ ଯାନବାହନ ଚଳାଚଳ ଓ ପଦଚାରୀଙ୍କ ନିମନ୍ତେ ଟ୍ରାଫିକ ପରିଚାଳନା ସଂପର୍କିତ ସ୍ଥିତି ଓ ଏହାର ପ୍ରତିକାରାତ୍ମକ ସାମୟିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମିଳିତ ପ୍ରସ୍ତାବ ପାଇବା ପରେ ପ୍ରଥମେ ତୁରନ୍ତ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ୟାର ପର୍ଯ୍ୟାୟ କ୍ରମେ ସମାଧାନ କରିବା ସହ ପରବର୍ତ୍ତୀ ସମୟରେ ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ସୂତ୍ରୀ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।