ରାଜଧାନୀରେ କଙ୍ଗାରୁ କୋର୍ଟ । ମବ ଜଷ୍ଟିସର ଶିକାର ହେଲେ ଜିଆରପି କନଷ୍ଟେବଳ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର ଅଞ୍ଚଳରେ ଦୁର୍ଘଟଣାରୁ ଲଙ୍କାକାଣ୍ଡ। କଟକରେ ପ୍ରାୟ ୧୨ ବର୍ଷ ଧରି ଜିଆରପି କନଷ୍ଟେବଳ ଭାବେ କାର୍ଯ୍ୟରତ ଅଡ଼ଶପୁର ଅଞ୍ଚଳର ସୌମ୍ୟରଞ୍ଜନ ସ୍ୱାଇଁ ଏବଂ ତାଙ୍କ ସାଥୀ ଓମପ୍ରକାଶ ରାଉତ ଏକ ବାଇକରେ ଯାଉଥିବା ବେଳେ ଦୁଇଜଣ ମହିଳାଙ୍କ ସ୍କୁଟି ସହ ଧକ୍କା ହୋଇଥିଲା। ଏହି ଦୁଇ ଯୁବକ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅସଦାଚରଣ କରିଥିବା ଏବଂ ଗାଡ଼ି ଚଢ଼ାଇ ମାରିଦେବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଥିଲେ ସ୍କୁଟିରେ ଥିବା ମହିଳା। ମହିଳାଙ୍କ ଚିତ୍କାର ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ପୋଲିସକୁ ଫୋନ କରାଯାଇଥିଲେ ମଧ୍ୟ ପୋଲିସକୁ ଅପେକ୍ଷା ନକରି ଉତ୍ତ୍ୟକ୍ତ ଭିଡ଼ ସୌମ୍ୟରଞ୍ଜନ ଓ ଓମପ୍ରକାଶଙ୍କୁ କାବୁ କରି ବାଉଁଶ ଗଛରେ ବାନ୍ଧି ପକାଇଥିଲେ।
ଏହାପରେ କାଠ ଫାଳିଆ ଓ ବାଉଁଶରେ ସେମାନଙ୍କୁ ନିର୍ମମ ଭାବେ ମାରି ଚାଲିଥିଲେ। ବର୍ବରକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ର ରକ୍ତମୁଖା ରୂପ ସାମ୍ନାରେ ସୌମ୍ୟରଞ୍ଜନ ହାର ମାନିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସହଯୋଗୀ ଓମପ୍ରକାଶ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଘଟଣା ନେଇ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ମୋହନ ଚରଣ ମାଝୀ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଏଭଳି ମାମଲାର ପୁନରାବୃତ୍ତି ନହେବା ପ୍ରତି ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ଅତ୍ୟନ୍ତ ବର୍ବର ବୋଲି କହିବା ସହ ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ସୁରକ୍ଷା ଦାବି କରିଛନ୍ତି ।
ସେପଟେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବଧ କରିବା ସହ ଆଇନ ବନାମ ଅରାଜକତା ନେଇ ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସେମାନେ ନିଷ୍କ୍ରିୟ ରହିଥିଲେ। ଯଦି ଜଣେ ପୋଲିସ କର୍ମଚାରୀ ନିଜ ବିଭାଗର ଲୋକଙ୍କଠାରୁ ସୁରକ୍ଷା ପାଇପାରୁନାହାନ୍ତି, ତେବେ ସାଧାରଣ ଜନତା କାହା ଭରସାରେ ରହିବେ? ଅସଦାଚରଣ ଅଭିଯୋଗ ସତ ହେଉ କି ମିଥ୍ୟା, ତାହା ତଦନ୍ତ ସାପେକ୍ଷ। କିନ୍ତୁ କେବଳ ସନ୍ଦେହ ବା ଅଭିଯୋଗ ଆଧାରରେ ‘ମବ୍ ଲିଞ୍ଚିଂ’ ବା ଭିଡ଼ ଦ୍ୱାରା ହତ୍ୟାକୁ କିଭଳି ଗ୍ରହଣ କରାଯାଇପାରିବ? ଏହା ସହ ରାଜଧାନୀର ଏତେ ପାଖରେ ଯଦି ଲୋକେ ନିଜେ ବିଚାରପତି ସାଜିବେ, ତେବେ ଗଣତନ୍ତ୍ର ଓ ନ୍ୟାୟିକ ବ୍ୟବସ୍ଥାର ଅସ୍ତିତ୍ୱ କେଉଁଠି? ପୋଲିସ ଏହି ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ କରିଛି। ମହିଳାଙ୍କ ଅଭିଯୋଗ କ୍ରମେ ସୌମ୍ୟରଞ୍ଜନ ଓ ତାଙ୍କ ସାଙ୍ଗଙ୍କ ବିରୋଧରେ ଗୋଟିଏ ମାମଲା ଏବଂ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।
