ଆଇଏମଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ ପକ୍ଷରୁ ଲୁପସ୍ ସଚେତନତା, ବିଶେଷଜ୍ଞ କହିଲେ- ଆଗୁଆ ପରୀକ୍ଷଣ ଦ୍ୱାରା କରି ହେବ ଏହି ବ୍ୟାଧିକୁ ପରାସ୍ତ
ଅନେକ ଜାଣନ୍ତି ନାହିଁ ଯେ ଲୁପସ୍ ହେଉଛି ଏକ ଅଟୋଇମ୍ୟୁନ ବ୍ୟାଧି ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ନିଜର ସୁସ୍ଥ କୋଷକୁ ଆକ୍ରମଣ କରେ । ଏହି ସମସ୍ୟା ୨୦ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ଠାରେ ପ୍ରାୟତଃ ଦେଖାଯାଇଥାଏ । ତେବେ ଏହାର ଚିକିତ୍ସା ସମ୍ଭବ ଏବଂ ଉଚିତ୍ ପଦକ୍ଷେପ ନେଲେ ରୋଗୀ ଜଣକ ସାଧାରଣ ଜୀବନ ଧାରଣ କରିପାରିବ ବୋଲି ରବିବାର ସୂଚନା ଦେଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋ ।ଲୁପସ୍ ଏକ ସଂକ୍ରାମକ ବ୍ୟାଧି ନୁହେଁ, ଯଦିଓ ଏହାର ଅନେକ ପ୍ରତିରୂପ ରହିଛି ତେବେ ଏହାର ଚିକିତ୍ସା ସମ୍ଭବ । ଲୁପସ୍ ବା ଏସ୍.ଏଲ୍.ଇ (ସିଷ୍ଟମିକ ଲୁପସ୍ ଏରିଥ୍ମାଟୋସିସ୍) ସାଧାରଣତଃ ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ । ଏହି ରୋଗ ଶରୀରର ଯେ କୌଣସି ଅଙ୍ଗକୁ ଆକ୍ରାନ୍ତ କରିପାରେ । ସବୁ ଲୁପସ୍ ରୋଗୀଙ୍କ ଲକ୍ଷଣ ଏକ ପ୍ରକାର ହୋଇ ନଥାଏ । କାହାକୁ ଜ୍ୱର ସହିତ ଗଣ୍ଠି ବ୍ୟଥା ଅନୁଭବ ହେଉଥିବାବେଳେ ଆଉ କାହାର ପରିସ୍ରାରେ ଅଧିକ ପ୍ରୋଟିନ୍ ଯାଇଥାଏ ବୋଲି ରବିବାର ବିଶ୍ୱ ଲୁପସ ଦିବସ ଅବସରରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ପାତ୍ରୋ ସୂଚନା ଦେଇଛନ୍ତି ।ଏହା ଏକ ଅଟୋଇମ୍ୟୁନ ବ୍ୟାଧି । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ କୋଷ, ଚର୍ମ, ରକ୍ତ କଣିକା, ବୃକକ୍ (କିଡନୀ) ଏବଂ ମସ୍ତିଷ୍କ ଭଳି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରିଥାଏ । ତେବେ ଏହାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ବୋଲି ଡାକ୍ତର ପାତ୍ରୋ କହିଛନ୍ତି ।
