Odia News Portal

ଧରାପଡ଼ିଲେ ଆଦି@ଆରିକ୍ସ ବ୍ରଦର୍ସ: ଟାର୍ଗେଟ୍‌ରେ ଥିଲେ କଲେଜଛାତ୍ରୀ,

ଇନ୍‌ଷ୍ଟାଗ୍ରାମରେ ନକଲି ଆଇଡି କରୁଥିଲେ ଆଉ କଲେଜ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଉଥିଲେ । ଏହାପରେ ସେମାନଙ୍କ ସହ ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ କରି ବ୍ଲାକମେଲ୍‌ କରୁଥିଲେ । ବ୍ଲାକମେଲ୍‌ରୁ ମିଳୁଥିବା ଟଙ୍କାରେ ଦାମୀ ମୋବାଇଲ କିଣିବା ସହ ଗୋଆରେ କରୁଥିଲେ ମଉଜ । ଏଭଳି ଏକ ସମ୍ବେଦନଶୀଳ ମାମଲାର ପର୍ଦ୍ଦାଫାଶ କରିଛି ଜଗତସିଂହପୁର ପୋଲିସ । ଜଣେ ପୀଡ଼ିତା କଲେଜ୍‌ ଛାତ୍ରୀଙ୍କ ସାହସ ଯୋଗୁଁ ଧରାପଡ଼ିଛନ୍ତି ଜଗତସିଂହପୁରର ଏହି ଆରିକ୍ସ ବ୍ରଦର୍ସ- ଜ୍ଞାନ ରଂଜନ ନାୟକ (୨୦) ଓ ବିଶ୍ବ ରଞ୍ଜନ ନାୟକ (୨୪) ।ବନ୍ଧା ହେଲେ ଆରିକ୍ସ ବ୍ରଦର୍ସଏନେଇ ଘଟଣା ସମ୍ପର୍କରେ ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ବଡ଼ ଭାଇ ବିଶ୍ବରଂଜନ ଓ ଛୋଟଭାଇ ଜ୍ଞାନରଂଜନ ଜଗତସିଂପୁର ଜିଲ୍ଲା ଇଚ୍ଛାପୁରର ବାସିନ୍ଦା ଅଟନ୍ତି। ସେମାନେ ଭୁବନେଶ୍ବର ଖଣ୍ଡଗିରି ନିକଟସ୍ଥ ସୌଭାଗ୍ୟନଗରରେ ଭଡ଼ାଘରେ ରହୁଥିଲେ। ୨୦୨୬ ମଇ ୧୪ରେ ଜଣେ ଯୁବତୀ ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ଦୁଇ ଭାଇ କଲେଜ୍‌ ଯାଉଥିବା ଛାତ୍ରୀଙ୍କୁ ଟାର୍ଗେଟ୍‌ କରୁଥିଲେ। ‌ଜ୍ଞାନରଂଜନ ନିଜର ନାମକୁ ଗୋପନ ରଖି ଇନ୍‌ଷ୍ଟାଗ୍ରାମ୍‌ରେ ଆଦି ଆଟ୍‌ ଆରିକ୍ସ ବୋଲି ପରିଚୟ ଦେଉଥିଲା। ଉଭୟ ଭାଇ କଲେଜ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ନିଜ ରୁମ୍‌କୁ ଡାକି ଦୁଷ୍କର୍ମ କରୁଥିଲେ। ଦୁଷ୍କର୍ମର ଭିଡ଼ିଓ ଓ ଫଟୋ ଉଠାଇ ଦୁଇ ଭାଇ ଛାତ୍ରୀମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ଏଭଳି ବ୍ଲାକ୍‌ମେଲ୍‌ କରି ପୁଣି ସେମାନଙ୍କୁ ଶାରୀରିକ ଓ ଆର୍ଥିକ ଶୋଷଣ କରୁଥିଲେ। ଏହି ଟଙ୍କାରେ ସେମାନେ ଗୋଆ ଆଦି ସ୍ଥାନ ଯାଇ ମଉଜ ମଜଲିସ କରୁଥିଲେ।ଘଟଣାରୁ ପ୍ରକାଶ ଯେ 2024ରେ ପୀଡ଼ିତାଙ୍କ ସହ ଜ୍ଞାନରଞ୍ଜନର ଇନ୍‌ଷ୍ଟାଗ୍ରାମ୍‌ରେ ପରିଚୟ ହୋଇଥିଲା। ପରେ ଯୁବତୀଙ୍କୁ ନେଇ ନିଜ ବଡ଼ଭାଇ ସହ ସେ ପରିଚୟ କରାଇଥିଲେ। ଜ୍ଞାନରଞ୍ଜନ ଉକ୍ତ ପୀଡ଼ିତାଙ୍କୁ ଡେଲ୍‌ଟା ଛକରେ ଥିବା ନିଜ ଭଡ଼ାଘରକୁ ଡାକି ଦୁଷ୍କର୍ମ କରୁଥିଲେ। ଏଥିରେ ଯୁବତୀ ଜଣକ ୪ ମାସର ଗର୍ଭବତୀ ହୋଇଥିଲେ। ଏହି କଥା ଜ୍ଞାନରଞ୍ଜନ ନିଜର ବଡ଼ଭାଇ ବିଶ୍ବରଞ୍ଜନକୁ ଜଣାଇଥିଲେ। ଯୋଜନା ଅନୁସାରେ ୨୦୨୫ ମଇ ମାସରେ ଜ୍ଞାନରଞ୍ଜନ ଉକ୍ତ ଯୁବତୀଙ୍କୁ ନେଇ କଟକ ଗ‌ଣେଶ ପାଲେସ୍‌ ନିକଟରେ ଥିବା ସିଡିଏ ସେକ୍ଟର-୯ରେ ରହୁଥିବା ବଡ଼ଭାଇଙ୍କ ଭଡ଼ାଘରକୁ ଯାଇଥିଲେ। ସେଠାରେ ଉଭୟ ଭାଇ ତାଙ୍କୁ ବଳପୂର୍ବକ ଗର୍ଭପାତ ଔଷଧ ଦେଇ ଗର୍ଭପାତ କରାଇଥିଲେ। ଘରେ ଅଟକ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ। ଏପରିକି ତାଙ୍କ ହାତକାଟି ହତ୍ୟା କରିବାକୁ ଯୋଜନା କରିଥିଲେ। ତେବେ ସୌଭାଗ୍ୟକ୍ରମେ ଦୁଇ ଭାଇ ଘରେ ଅନୁପସ୍ଥିତ ଥିବା ବେଳେ ପୀଡ଼ିତା ଯୁବତୀ ସେଠାରୁ ଖସି ଆସିଥିଲା। ଏହି କଥା ନିଜର ବାପାମା’ଙ୍କୁ କହିଥିଲା। କିନ୍ତୁ ଲଜ୍ଜା ଓ ସାମାଜିକ ଅପବାଦ ଭୟରେ ସେମାନେ ପୁଲିସକୁ ଜଣାଇନଥିଲେ।