ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି (ମେ’ 15) କେନ୍ଦ୍ର ଶିକ୍ଷାମନ୍ତ୍ରୀ ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ସାରା ବିଶ୍ବର ମଙ୍ଗଳ କାମନା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ସିଂହଦ୍ୱାରରେ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଥିବା ଯଜ୍ଞରେ ସାମିଲ୍ ହୋଇଛନ୍ତି ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାର ଲୋକଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘‘ ପବିତ୍ର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିବାର ସୌଭାଗ୍ୟ ମିଳିଲା । ସାରା ବିଶ୍ବ ଏବେ ଖରାପ ପରିସ୍ଥିତିରେ ଗତି କରୁଥିବା ବେଳେ ବିଶ୍ୱରେ ଶାନ୍ତି ଓ ମଙ୍ଗଳ କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି’’ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ସମସ୍ତେ ମାନିବା ସହିତ ପେଟ୍ରୋଲ, ଡିଜେଲ ବ୍ୟବହାର କମ୍ କରିବା, ବିଦେଶ ଭ୍ରମଣ ନ କରିବା, ସୁନା ନ କିଣିବା ଏବଂ ଓ୍ବାର୍କ ଫର୍ମ ହୋମ୍ କରିବା ଉଚିତ । ଏହାଦ୍ବାରା ଏହି ସଙ୍କଟ ସମୟରେ ଦେଶର ବିକାଶ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଭାରୀ ଦାୟିତ୍ବ ଗ୍ରହଣ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ଥର ପଶ୍ଚିମବଙ୍ଗରେ ବିଜେପି ବିପୁଳ ସଫଳତାର ସହ ସରକାର ଗଠନ କରିଛି । ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ସେପଟେ NEET UG ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ବିବାଦରେ ଛନ୍ଦି ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
