ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ । ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଆରମ୍ଭ ଯୋଗୁ ଗଣତି ମଣତି ବନ୍ଦ ରହିଥିଲା । ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ଭିତର ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏହାସହ ଆସନ୍ତା ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଗଣତି ମଣତି କାର୍ଯ୍ୟ ହେବ । କଡା ସୁରକ୍ଷା ମଧ୍ୟରେ ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ଗଣତି ମଣତି କରାଯାଉଛି। ସୁନା ଅଳଙ୍କାରକୁ ହଳଦିଆ କନା, ରୁପାକୁ ଧଳା କନା ଓ ବିଭିନ୍ନ ମୂଲ୍ୟବାନ ଅଳଙ୍କାରକୁ ନାଲି କପଡାରେ ସ୍ବତନ୍ତ୍ର ସିନ୍ଦୁକରେ ରଖାଯାଉଛି।
୧୯୭୮ ମସିହା ତାଲିକା ଅନୁଯାଇ ସମସ୍ତ ଅଳଙ୍କାର ଗୁଡିକର ମେଳକ କରାଯାଉଛି l ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରୁ ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଖୋଲାଯାଉଛି। ଗଣତି ମଣତି ପରେ ପୁଣି ବନ୍ଦ କରାଯାଇ ଜିଲ୍ଲା ଟ୍ରେଜେରିରେ ଚାବି ରଖାଯାଉଛି l ଶ୍ରୀମନ୍ଦିରରେ ନୀତିକାନ୍ତି ଯୋଗୁ ମଝିରେ ରତ୍ନ ଅଳଙ୍କାର ଗଣତି ମଣତି ବନ୍ଦ ରଖାଯାଉଛି । ସେହିପରି ଗଣତି ମଣତି ସମୟରେ ଭକ୍ତ ମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । କେବଳ ଅଧିକୃତ ପଳିଆ ସେବକ ମାନେ ମହାପ୍ରଭୁଙ୍କ ସେବା ଲାଗି ଭିତରକୁ ଯାଇପାରିବେ l
