Odia News Portal

ରାଜଧାନୀରେ ପୁଣି ଅପହରଣ, ଭୁବନେଶ୍ୱରରୁ ନେଇ ପୋଲସରାରେ ଲୁଚାଇ ରଖିଥିଲା ଯୁବକ

ରାଜଧାନୀରେ ପୁଣି ଅପହରଣ ଚାଞ୍ଚଲ୍ୟ ।  ଜଣେ ନାବାଳିକାଙ୍କୁ ପ୍ରଲୋଭିତ କରି ଭୁବନେଶ୍ୱରରୁ ଉଠାଇନେଇ ପୋଲସରାରେ ଲୁଚାଇ ରଖିଥିଲା ଜଣେ ଯୁବକ ।  ଖଣ୍ଡଗିରି ଥାନା ପୋଲିସ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି ।  ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ନାବାଳିକାଙ୍କ ଘର ଡୁମୁଡୁମା ଅଞ୍ଚଳରେ।  ସେ ଟ୍ୟୁସନ ଯିବା ସମୟରେ ସୁବାସ ନଗର ବସ୍ତିର ଜଣେ ଯୁବକ ତାଙ୍କୁ ସାଙ୍ଗରେ ନେଇ ପଳାଇଥିଲା ।  ପ୍ରଥମେ ନିଜ ଘରେ ନାବାଳିକାଙ୍କୁ ରଖିଥିଲା। ପରେ ପୋଲିସ ଓ ପରିବାର ଲୋକ ଖୋଜୁଥିବା ଜାଣି ପୋଲସରା ସ୍ଥିତ ନିଜ ଗାଁକୁ ନେଇଯାଇଥିଲା। ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ରାତିରେ ନାବାଳିକାଙ୍କୁ ଉଦ୍ଧାର କରିଥିଲା ।  ଅଭିଯୁକ୍ତ ଯୁବକ ଗତ ତିନି ବର୍ଷ ଧରି ଝିଅକୁ ହଇରାଣ କରୁଥିଲା ବୋଲି ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି ।