ଭଡାଘରେ ଚାଲିଥିଲା ଆଇପିଏଲ୍ ମ୍ୟାଚ ବେଟିଂ । ଲାଇଭ୍ ମ୍ୟାଚରେ ବିପୁଳ ଟଙ୍କାର ବେଟିଂ ଲାଗିଥିଲା l ଅତର୍କିତ ଭାବରେ ବ୍ରଜରାଜନଗର ପୋଲିସର ଦୁଇଟି ଟିମ ଚଢ଼ାଉ କରି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ୫ ଲକ୍ଷ ୯ ହଜାର ୧୦୦ ନଗଦ ଟଙ୍କା ଜବତ କରିଛି l ଏହାସହ ଅନଲାଇନରେ ୩ ଲକ୍ଷ ୭୦ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ୍ କରିଛି ପୋଲିସ l ୨ଟି ଲ୍ୟାପଟପ, ୪୧ଟି ମୋବାଇଲ ଫୋନ, ଗୋଟିଏ ଇନୋଭା କ୍ରିଷ୍ଟା, ଗୋଟିଏ ମାରୁତି ବୋଲେନେ ମଧ୍ୟ ଜବତ କରିଛି ପୋଲିସ l ଜିଲ୍ଲାର ବ୍ରଜରାଜନଗର ଗାନ୍ଧୀଛକ ଏବଂ ରାମପୁର ଅଂଚଳର ଭଡାଘରେ ଅନଲାଇନ ମଧ୍ୟମରେ IPL ବେଟିଂ ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା l
ଗିରଫ ଅଭିଯୁକ୍ତମାନେ ହେଲେ ବୁକି ସୁନ୍ଦରଗଡ଼ ରାଜଗାଙ୍ଗପୁରର ରାହୁଲ ସାହୁ ଓ ସ୍ଥାନୀୟ ଅଂଚଳର ଗୋବିନ୍ଦ ଦାସ ମହନ୍ତ, ଆକାଶ ଶ୍ରୀବାସ୍ତବ, ବିଶାଲ କୁମାର ରବି, ଭୀମ କୁମାର ରାମ, ମନୁ ସିଂ, ଶଙ୍କର ପ୍ରସାଦ ରାମ, ରାଜୀବ କୁମାର l ଏହାର ମାଷ୍ଟର ମାଇଣ୍ଡ କିଏ ସେନେଇ ତଦନ୍ତ ଚଳାଇଛି ପୋଲିସ l IPL ବେଟିଂ ପାଇଁ କ୍ରିକେଟ ଲାଇଭ୍ ଆପର ଦୁର୍ବ୍ୟବହାର କରୁଛନ୍ତି ଅଭିଯୁକ୍ତମାନେ l ଲୋକଙ୍କୁ ଅଳ୍ପ ସମୟରେ ଅଧିକ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ଅନଲାଇନ IPL ବେଟିଂ କାରବାର ଚଳାଉଛନ୍ତି ମାଷ୍ଟର ମାଇଣ୍ଡ l ଖୁବ ଶୀଘ୍ର ମାଷ୍ଟର ମାଇଣ୍ଡକୁ ଗିରଫ କରାଯିବ ବୋଲି ଝାରସୁଗୁଡା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି l
“ଗାନ୍ଧୀଛକ ଏବଂ ରାମପୁର ଅଂଚଳର ଏକ ଭଡାଘରେ ଅନଲାଇନ ମଧ୍ୟମରେ IPL ବେଟିଂ ଚାଲିଥିଲା । ଆମେ ଖବର ପାଇବା ମାତ୍ରେ ବ୍ରଜରାଜନଗର ପୋଲିସ ଟିମ ଚଢାଉ କରିଥିଲେ l ମ୍ୟାଚ୍ ଚାଲିଥିଲା ଏବଂ ବେଟିଂ ମଧ୍ୟ ଚାଲିଥିଲା । ଏହି ସମୟରେ ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି,” କହିଛନ୍ତି ଝାରସୁଗୁଡା ଏସପି ରାଘବେନ୍ଦ୍ର ରେଡ୍ଡୀ ।
