Odia News Portal

ନୀତିନ ନବୀନଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କଲେ ଆନ୍ନାମଲାଇ

ତାମିଲନାଡ଼ୁର ପୂର୍ବତନ ବିଜେପି ସଭାପତି କେ ଆନ୍ନାମଲାଇ ମଙ୍ଗଳବାର ବିଜେପି ଜାତୀୟ ସଭାପତି ନୀତିନ ନବୀନ  ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷଙ୍କୁ ନୂଆଦିଲ୍ଲୀରେ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନେଇ ମଧ୍ୟ ଆନ୍ନାମଲାଇ ୫ ପୃଷ୍ଠାର ଏକ ନୋଟ୍‌ ଦାଖଲ କରିଛନ୍ତି। ପୂର୍ବତନ ଅ‌ଇପିଏସ୍‌ ଅଫିସର ଆନ୍ନାମଲାଇ ଏକ ନୂଆ ଆଞ୍ଚଳିକ ଦଳ ଆରମ୍ଭ କରିବାପାଇଁ ଯୋଜନା କରୁଛନ୍ତି। ଆସନ୍ତା ୬ରୁ ୮ ମାସ ମଧ୍ୟରେ ଆନ୍ନାମଲାଇ ତାଙ୍କ ରାଜନୈତିକ ଦଳ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆନ୍ନାମଲାଇ ମଧ୍ୟ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ମିଳିଥିବା ସୂଚନାନୁଯାୟୀ ଆନ୍ନାମଲାଇ ବିନା ବିବାଦରେ ବିଜେପିରୁ ସମ୍ମାନଜନକ ବିଦାୟ ଚାହୁଛନ୍ତି।ଜୁନ୍‌ ୭ ତାରିଖରେ ସେ ତାଙ୍କର ସମର୍ଥକମାନଙ୍କ ସହ ଏକ ବୈଠକ କରିବେ ଏବଂ ଏହାପରେ ସେ ତାଙ୍କ ଭବିଷ୍ୟତ ରଣନୀତି ସଂକ୍ରାନ୍ତରେ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆନ୍ନାମଲାଇ ଏବଂ ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ମତଭେଦ ହେବା ପରଠାରୁ ଆନ୍ନାମଲାଇ ବିଜେପି ଦଳ ଛାଡ଼ିବା ନିଷ୍ପତ୍ତି ନେଇଛନ୍ତି। ଉ‌ଲ୍ଲେଖଯୋଗ୍ୟ ତାମିଲନାଡ଼ୁରେ ଦଳର ରାଜନୈତିକ ରଣନୀତିକୁ ନେଇ ଆନ୍ନାମଲାଇ ଏବଂ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ବିଭେଦ ଦେଖାଦେଇଛି।