ରାଜ୍ୟ ସରକାର ଦୁର୍ନୀତି ଓ ଆର୍ଥିକ ଅନିୟମିତତା ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି। ଜଳସମ୍ପଦ ବିଭାଗର ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ବରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବିତ ଯନ୍ତ୍ରୀମାନେ ହେଲେ ବରଗଡ଼ ଜଳସେଚନ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ୍-ଡିଭିଜନର ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲ।
ସୂଚନା ଅନୁସାରେ, ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବାକ୍ସ କଣ୍ଡକ୍ଟ ନିର୍ମାଣ ଏବଂ ବରଗଡ଼ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିଲା। ଏହାର ତଦନ୍ତ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ତିନି ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି। ନିଲମ୍ବନ ଅବଧିରେ ମଦନ ମୋହନ ସେଠୀଙ୍କୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲଙ୍କୁ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ସରକାର ଏପରି କାର୍ଯ୍ୟାନୁଷ୍ଠାନ ଜାରି ରଖିବେ ବୋଲି ସୂଚନା ମିଳିଛି।
