Odia News Portal

ବର୍ଷାରେ ଭିଜିବ ରଜ ! ୪-୫ ଦିନ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଓଡ଼ିଶାରେ ମୌସୁମୀ ପ୍ରବେଶକୁ ନେଇ ଅପେକ୍ଷା ବଢ଼ିଛି। ପୂର୍ବରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ରାଜ୍ୟ ଛୁଇଁବ ବୋଲି ଆକଳନ କରାଯାଇଥିଲା। ହେଲେ ପାଣିପାଗ ବିଭାଗର ନୂଆ ପୂର୍ବାନୁମାନ ଅନୁସାରେ, ମୌସୁମୀ ଓଡ଼ିଶାରେ ପହଞ୍ଚିବାକୁ ଆହୁରି ୪ରୁ ୫ ଦିନ ସମୟ ଲାଗିପାରେ। ଅର୍ଥାତ୍ ଜୁନ୍ ୧୩ କିମ୍ବା ୧୪ ତାରିଖ, ରଜ ପର୍ବ ସମୟରେ ମୌସୁମୀ ରାଜ୍ୟକୁ ପ୍ରବେଶ କରିପାରେ।

ପାଣିପାଗ ବିଭାଗ କହିଛି, ମୌସୁମୀର ଅଗ୍ରଗତି ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଏହା ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କିଛି ଅଂଶ, ତାମିଲନାଡ଼ୁର ଅବଶିଷ୍ଟ ଅଞ୍ଚଳ ଏବଂ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ସହ ଓଡ଼ିଶାର କେତେକ ଅଞ୍ଚଳକୁ ବ୍ୟାପିପାରେ। ସେପଟେ ମୌସୁମୀ ଆସିବା ପୂର୍ବରୁ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ। ୧୧ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗରମ ଲୋକଙ୍କୁ ହଇରାଣ କରିପାରେ। ତେବେ ପ୍ରତିଦିନ କାଳବୈଶାଖୀର ସମ୍ଭାବନା ଥିବାବେଳେ, ୧୧ ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ।

ବିଶେଷକରି ୧୧ ଓ ୧୨ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୩ ଦିନ ପରେ ରାଜ୍ୟର ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ରଜ ବେଳକୁ ମୌସୁମୀର ଆଗମନ ହେବ କି? ନା ଆଉ ବଢ଼ିବ ଅପେକ୍ଷା? ସମସ୍ତଙ୍କ ନଜର ଏବେ ପାଣିପାଗର ପରବର୍ତ୍ତୀ ଅପଡେଟ୍ ଉପରେ।