ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦେଶର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କର ୪,୩୯୯ ଦିନର କାର୍ଯ୍ୟକାଳ ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ଏହି ବଡ ଉପଲବ୍ଧି ପାଇଁ ମୋଦୀଙ୍କ ନେତୃତ୍ୱକୁ ସବୁଆଡୁ ଶୁଭେଚ୍ଛା ମିଳୁଛି । ବିଶ୍ୱର ବଡ ବଡ ନେତା ପିଏମଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ବିଚାରଧାରାକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଖାସ୍ କରି ଗ୍ଲାବାଲ ସାଉଥ୍ ରେ ମୋଦୀଙ୍କ ନୀତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।
ପିଏମ୍ ମୋଦୀଙ୍କ ସ୍ୱତନ୍ତ୍ର ଉପଲବ୍ଧିକୁ ନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ମୋଦୀ ଐତିହାସିକ ସଫଳତା ପାଇଛନ୍ତି । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ସେ ବାରମ୍ବାର ନିର୍ବାଚିତ ହୋଇଛନ୍ତି । ଜନତା ତାଙ୍କ ଉପରେ ଅତୁଟ ଭରସା ରଖନ୍ତି । ଭାରତରେ ଅନେକ ସାମାଜିକ ଏବଂ ଆର୍ଥିକ ସୁଧାର ଆସିଛି ।
ପୂର୍ବରୁ, ଏହି ଐତିହାସିକ ରେକର୍ଡ ପଣ୍ଡିତ ନେହେରୁଙ୍କ ନାମରେ ଥିଲା, ଯିଏ ମେ’ ୧୯୫୨ ରୁ ୨୭ ମେ’ ୧୯୬୪ ପର୍ଯ୍ୟନ୍ତ କ୍ରମାଗତ ୪,୩୯୮ ଦିନ ପାଇଁ କାର୍ଯ୍ୟ କରିଥିଲେ। ରାଜନୈତିକ ବିଶ୍ଳେଷକଙ୍କ ମତରେ, ମୋଦୀଙ୍କ ରେକର୍ଡ ବିଶେଷ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକ ନିରନ୍ତର ଏବଂ ସମ୍ପୂର୍ଣ୍ଣ ନିର୍ବାଚିତ କାର୍ଯ୍ୟକାଳକୁ ପ୍ରତିନିଧିତ୍ୱ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୋଟ କାର୍ଯ୍ୟକାଳ ପ୍ରାୟ ୧୪ ବର୍ଷ ଥିଲା, କିନ୍ତୁ ଏହା ନିରନ୍ତର ନଥିଲା। ଏହି ଐତିହାସିକ ସଫଳତା ସହିତ କେନ୍ଦ୍ରର ମୋଦୀ ସରକାର ୧୨ ସଫଳ ବର୍ଷ ପୂରଣ କରିଛନ୍ତି। ଏହି ବିଶେଷ ଅବସରକୁ ପାଳନ କରିବା ପାଇଁ, ଦିଲ୍ଲୀର ଭାରତ ମଣ୍ଡପମରେ ଅପରାହ୍ନ ୩ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ଏନଡିଏ ବୈଠକ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବରିଷ୍ଠ ବିଜେପି ନେତା ଏବଂ ସମସ୍ତ ଏନଡିଏ ସହଯୋଗୀ ଦଳର ମୁଖ୍ୟମାନେ ଯୋଗଦେବେ।
