Odia News Portal

ଅଳ୍ପକେ ଟଳିଲା ଏକ ବଡ଼ ଟ୍ରେନ ଦୁର୍ଘଟଣା

ପୁଣି ରେଳ ବିଭାଗର ବଡ଼ ଅବହେଳା ଅଭିଯୋଗ। ଅଳ୍ପକେ ଟଳିଲା ଏକ ବଡ଼ ଟ୍ରେନ ଦୁର୍ଘଟଣା। ରାଜ୍ୟର ସବୁଠାରୁ ବଡ଼ ରେଳ ଷ୍ଟେସନ ଭୁବନେଶ୍ୱର ନିକଟରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ ହୋଇଯାଇଥିବା ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଝାରପଡ଼ା ବ୍ରିଜ୍ ନିକଟରେ ଗୋଟିଏ ଟ୍ରେନ ଟ୍ରାକରେ ଅଟକି ରହିଥିବା ବେଳେ ବିପରୀତ ଦିଗରୁ ଆଉ ଏକ ଟ୍ରେନ ସେହି ଟ୍ରାକରେ ଆସୁଥିଲା। ଟ୍ରେନର ବେଗ କମ୍ ଥିବାରୁ ସମ୍ଭାବ୍ୟ ବଡ଼ ଦୁର୍ଘଟଣା ଟଳିଯାଇଛି। ଘଟଣା ପରେ ଭୟଭୀତ ହୋଇ କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିବା ଜଣାପଡ଼ିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ପ୍ରାଥମିକ ତଦନ୍ତରୁ ସିଗନାଲ୍ ବ୍ୟବସ୍ଥାର ତ୍ରୁଟି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି। ଘଟଣାର ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ପହଞ୍ଚିଲା? ସିଗନାଲ୍ ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା? ଏହି ଘଟଣା ପାଇଁ କିଏ ଦାୟୀ? ଏହାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଖୋଜିବା ପାଇଁ ରେଳବାଇ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି।