ଆମେରିକା ଓ ଇରାନ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଓମାନ ଉପକୂଳରେ ପାଟ୍ରୋଲିଂ କରୁଥିବା ଆମେରିକୀୟ ସେନାର ‘ଆପାଚେ’ ଆଟାକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଯାଇଛି। ଇରାନୀ ଡ୍ରୋନର ଧକ୍କା ଯୋଗୁଁ ହେଲିକପ୍ଟରଟି କ୍ରାଶ୍ ହୋଇଥିବା ଦାବି କରି ଏହାକୁ ସିଧାସଳଖ ଆକ୍ରମଣ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଘଟଣା ପରେ AI ଚାଳିତ ଡ୍ରୋନ ବୋଟ୍ ‘କର୍ସେୟାର’ର ସହାୟତାରେ ହେଲିକପ୍ଟରର ଦୁଇ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଏହାର ପ୍ରତିଶୋଧ ସ୍ୱରୂପ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦକ୍ଷିଣ ଇରାନର ବିଭିନ୍ନ ରଣନୀତିକ ସ୍ଥାନ ଉପରେ ବ୍ୟାପକ ବିମାନ ଆକ୍ରମଣ କରିଛି। ରାଡାର ସାଇଟ୍, ଆଣ୍ଟି-ଏୟାରକ୍ରାଫ୍ଟ ବ୍ୟବସ୍ଥା ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରାଯାଇଥିବା ବେଳେ କେସମ୍ ଦ୍ୱୀପ ଓ ବନ୍ଦର ଆବାସ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭାରି କ୍ଷୟକ୍ଷତି ଘଟିଥିବା ଖବର ମିଳିଛି।
ଏପଟେ ଆମେରିକୀୟ ଆକ୍ରମଣର ଜବାବରେ ଇରାନ ମଧ୍ୟ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଗଲ୍ଫ ଅଞ୍ଚଳରେ ଅବସ୍ଥିତ ଆମେରିକାର ୨୧ଟି ସେନା ଘାଟିକୁ ଲକ୍ଷ୍ୟ କରି ଶତାଧିକ ବାଲିଷ୍ଟିକ ମିସାଇଲ୍ ଓ ଡ୍ରୋନ ମାଡ଼ କରିଥିବା ଦାବି କରିଛି। ବାହାରିନରେ ଥିବା ଆମେରିକୀୟ ନୌସେନାର ଫିଫ୍ଥ ଫ୍ଲିଟ୍ ମୁଖ୍ୟାଳୟ ସମେତ କୁଏତ ଓ ଜର୍ଡାନରେ ଥିବା ଏୟାରବେସ୍ ଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ସୂଚନା ମିଳିଛି।
ତେବେ ଆମେରିକା ଓ ତାହାର ସହଯୋଗୀ ଦେଶମାନଙ୍କର ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ ମିସାଇଲ୍ ଓ ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରିଦେଇଥିବା କୁହାଯାଉଛି। ଫଳରେ ଆମେରିକୀୟ ସେନାର କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଗଲ୍ଫ ଅଞ୍ଚଳରେ ଯୁଦ୍ଧ ଆଶଙ୍କା ଆହୁରି ବଢ଼ିଯାଇଛି।
