ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ଅଧୀନ ପତୁରିଆ ଗ୍ରାମର କୁଳମଣି ନାୟକଙ୍କ ପୁତ୍ର ରବୀନ୍ଦ୍ର ନାୟକ (୨୬)ଙ୍କୁ ଗୁଳି ମାଡ଼ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ରବୀନ୍ଦ୍ର ସ୍ଥାନୀୟ ପାଣ୍ଡରାସୀଙ୍ଗା ଗ୍ରାମରେ ଦୀର୍ଘ ଦିନ ଧରି ଏକ ଗ୍ୟାରେଜ ଦୋକାନ ଦେଇ ନିଜର ପରିବାର ଚଳାଉଥିଲେ । ଆଜି ସନ୍ଧ୍ୟା ୭ ଟା ସମୟରେ ବିଦ୍ୟୁତ୍ ନ ଥିବା ସମୟରେ ରବୀନ୍ଦ୍ର ନିଜ ଗ୍ୟାରେଜ ଭିତରେ ବସି ଟଙ୍କା ଗଣୁଥିଲେ, ଏହି ସମୟରେ ଦୋକାନରେ କାମ କରୁଥିବା ପିଲା ମଧ୍ୟ ନ ଥିଲା। ମେଘ ପବନରେ କୌଣସି ଲୋକ ନଥିବା ଅବସ୍ଥାରେ ଏହାର ସୁଯୋଗ ନେଇ ଏକ କାର ଯୋଗେ କେତେଜଣ ଦୃର୍ବୁତ୍ତ ଆସି ହଠାତ୍ ରବୀନ୍ଦ୍ର ଛାତିରେ ବନ୍ଧୁକ ଲଗାଇ ଗୁଳିକରି ଚାଲି ଯାଇଥିବାର ସୂଚନା ମିଳିଛି। ସଙ୍ଗେ ସଙ୍ଗେ ଗୁଳିମାଡ଼ରେ ଆହତ ରବିନ୍ଦ୍ରକୁ ନିକଟସ୍ଥ ଗଣିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ଚିକିତ୍ସା ସମୟରେ ଡାକ୍ତର ରବିନ୍ଦ୍ରକୁ ମୃତ ଘୋଷଣା କରିଥିଲେ।ଏହି ଖବର ପାଇ ଗଣିଆ ପୋଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥାଏ ବୋଲି ଅନୁମାନ କରାଯାଉଛି।
