ଲୋକସଭାର ବିପକ୍ଷ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଲୋକସଭାର ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି।”
ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ସାରା ଦେଶରୁ ବିଭିନ୍ନ ରାଜନୈତିକ ନେତା, ସମର୍ଥକ ଓ କଂଗ୍ରେସ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି। କଂଗ୍ରେସ ଦଳ ମଧ୍ୟ ତାଙ୍କର ନେତୃତ୍ୱ, ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ଏବଂ ସାଧାରଣ ଲୋକଙ୍କ ସ୍ୱର ଉଠାଇବାର ଭୂମିକାକୁ ପ୍ରଶଂସା କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଅନ୍ୟାୟ, ଅସମାନତା ଏବଂ କ୍ଷମତାର ଅପବ୍ୟବହାର ବିରୋଧରେ ରାହୁଲ ଗାନ୍ଧୀଙ୍କ ନିରନ୍ତର ସଂଗ୍ରାମ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛି। ତାଙ୍କ ରାଜନୀତି ନୀତି, ସମ୍ବେଦନଶୀଳତା ଓ କରୁଣା ଉପରେ ଆଧାରିତ ବୋଲି କଂଗ୍ରେସ ମତ ପ୍ରକାଶ କରିଛି।
ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ସୁସ୍ଥତା, ସୁଖମୟ ଜୀବନ ଏବଂ ଦେଶସେବା ପାଇଁ ଦୀର୍ଘାୟୁ କାମନା କରିଛନ୍ତି।
