ରାଜଧାନୀ ଭୁବନେଶ୍ୱରରେ ଯୁବଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଟ୍ୟାଗ୍ ଲାଇନ୍ ରହିଥିଲା Yoga for one earth one health. ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୁବଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଅମିତ କୁମାର ମଲ୍ଲିକ, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଏବଂ ଲୋକପ୍ରିୟ ଓଲିଉଡ୍ ଅଭିନେତ୍ରୀ ପୁନମ୍ ଓ ଶୀତଲ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।
ସମସ୍ତ ଅତିଥି ଏକାଠି ବସି ସାମୂହିକ ଯୋଗାଭ୍ୟାସ କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ସେମାନେ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିବା ସହ ଏହାର ବିଭିନ୍ନ ଉପକାରିତା ବିଷୟରେ ବୁଝାଇଥିଲେ।
