ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ସରଗରମର ହୋଇଛି ଦେଶର ରାଜନୀତି । ଛାତ୍ରଛାତ୍ରୀଙ୍କୁ ପୋଲିସର ଲାଠି ଚାର୍ଜ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ତେବେ ଏହି ପ୍ରସଙ୍ଗ ଏବେ ଓଡ଼ିଶା ରାଜନୀତିରେ ମଧ୍ୟ ନିଆଁ ଲଗେଇଦେଇଛି । ଜନ୍ତମନ୍ତରରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜକୁ ନେଇ ମୁହଁ ଖୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ। ଗତ କାଲି ନୂଆଦିଲ୍ଲୀସ୍ଥିତ ବାସଭବନରେ ଦଳର ପାଞ୍ଚ ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିଥିଲେ ନବୀନ। ଆଲୋଚନା ପରେ ଜାତୀୟ ଗଣମାଧ୍ୟମକୁ ନବୀନ କହିଥିଲେ , ଛାତ୍ରଛାତ୍ରୀଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇଛି। ଆହତ ଛାତ୍ରଙ୍କୁ ସାଂସଦମାନେ ହସ୍ପିଟାଲରେ ଭେଟିଛନ୍ତି। ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅନେକ ଦଳରୁ ଦାବି ଆସୁଛି। ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ନବୀନ କହିଥିଲେ ।
ସେପଟେ ନବୀନ ଧର୍ମେନ୍ଦ୍ରଙ୍କ ଇସ୍ତଫା ମାଗିବା ପରେ ଚିହିଁକି ଉଠିଛନ୍ତି ବିଜେପି ନେତାମାନେ । ନବୀନଙ୍କ ମୁହଁରେ ନୀତି ନୈତିକତା ଶୋଭା ପାଉନି । ୧୫ ବର୍ଷ ଧରି ଯେଉଁ ଶାସନ କରିଥିଲେ, ସେହି ଶାସନରେ ଅନେକ କେଳେଙ୍କାରୀ ହୋଇଥିଲା । ତାଙ୍କ ଶାସନରେ ବହୁ କେଳେଙ୍କାରୀ ହୋଇଛି । ଚିଟ୍ଫଣ୍ଡଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଲିକ୍ ପର୍ଯ୍ୟନ୍ତ ବହୁ ଦୁର୍ନୀତି ତାଙ୍କ ସରକାରକୁ ଗ୍ରାସ କରିଥିଲା । ମମିତା ମହେର ହତ୍ୟାକାଣ୍ଡ, ଚିଟ୍ଫଣ୍ଡ ଦୁର୍ନିତି, ନବଦାସ ହତ୍ୟାକାଣ୍ଡ ବେଳେ ନବୀନ ବାବୁଙ୍କ ନୀତି ନୈତିକତା କୁଆଡ଼େ ଥିଲା ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଛନ୍ତି ।
ତେବେ ଜନ୍ତମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ମାପିଚୁପି ଗୋଟି ଚଳାଉଛି ବିଜେଡି । ଏପର୍ଯ୍ୟନ୍ତ ଧାରଣା ସ୍ଥଳରେ କୌଣସି ବିଜେଡି ନେତାଙ୍କୁ ଦେଖିବାକୁ ମିଳିନାହିଁ । ମାତ୍ର ପୋଲିସ ମାଡ଼ରେ ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ବିଜେଡି ସାଂସଦମାନେ ଭେଟି ସମବେଦନା ଜଣାଇଛନ୍ତି । ସେହିପରି ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଭେଟିବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ରହସ୍ୟଜନକ ଭାବେ ଶେଷ ମୂହୂର୍ତ୍ତରେ ବାତିଲ କରିଦିଆଗଲା । ଏଥିରୁ ସ୍ପଷ୍ଠ ଜଣାପଡ଼ୁଛି ଯେ ସିଜେପି ଆନ୍ଦୋଳନକୁ ନେଇ ଦଳ ଭିତରେ ଦ୍ବନ୍ଦ ରହିଛି ।
