Odia News Portal

ବାଲିଅନ୍ତା ସୌମ୍ୟ ଘଟଣାର ପୁନରାବୃତ୍ତି ପୁଣି ଜଣକୁ ପିଟିପିଟି ହତ୍ୟା ଉଦ୍ୟମ !

ସୌମ୍ୟରଂଜନ ହତ୍ୟାକାଣ୍ଡ ପରେ ଏବେ ଲକ୍ଷ୍ମୀଧର ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଉଦ୍ୟମ ଅଭିଯୋଗକୁ ନେଇ ତେଜିଛି ଉତ୍ତେଜନା। ଲକ୍ଷ୍ମୀଧର ବର୍ତ୍ତମାନ କୋମାରେ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି।ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ। ପୋଲିସର ତୁରନ୍ତ ପଦକ୍ଷେପ ନେଇନଥିବା ଅଭିଯୋଗକୁ ନେଇ ମଧ୍ୟ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଲକ୍ଷ୍ମୀଧର ବ୍ରାହ୍ମଣ ଷଡ଼ଙ୍ଗୀ ବଜାରକୁ ପରିବା କିଣିବାକୁ ଯାଇଥିଲେ। ଏହି ସମୟରେ କିଛି ଯୁବକ ସ୍କୁଲ ଘରର ତାଲା ଭାଙ୍ଗୁଥିବା ସେ ଦେଖିଥିଲେ। ଏହାକୁ ବିରୋଧ କରିବାରୁ ଯୁବକମାନେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମୀଧରଙ୍କୁ ରାସ୍ତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।ଗୁରୁତର ଅବସ୍ଥାରେ ଥିବା ଲକ୍ଷ୍ମୀଧରଙ୍କୁ ନେଇ ପରିବାର ଚିନ୍ତିତ ଥିବାବେଳେ, ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ବାଲିଅନ୍ତା ଥାନା ସମ୍ମୁଖରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଦୁଇଜଣ ଆଡିସନାଲ୍ ଡିସିପିଙ୍କ ସମେତ ଏସିପି ଉପସ୍ଥିତ ଅଛନ୍ତି। ବାଲିଅନ୍ତା, ବାଲିପାଟଣା ଓ ନିକଟବର୍ତ୍ତୀ ଥାନାର ଆଇଆଇସିମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉତ୍ତେଜିତ ଗ୍ରାମବାସୀଙ୍କୁ ପୋଲିସ ପକ୍ଷରୁ ବୁଝାସୁଝା କରାଯାଉଥିବାବେଳେ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଅଡ଼ି ବସିଛନ୍ତି ଗାଁ ଲୋକ।