Odia News Portal

ସ୍ୱାଧୀନତା ଦିବସ-୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଅଶିତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ବସବାସ କରୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ସ୍ଵାଧୀନ ଭାରତର ଗୌରବମୟ ଯାତ୍ରାରେ, ଆଜି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଯାଇଛି। ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ, କେବଳ ଏକ ସଂଗ୍ରାମର କାହାଣୀ ନୁହେଁ, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ। ମହାତ୍ମା ଗାନ୍ଧୀ’ଙ୍କ ନେତୃତ୍ଵରେ ବିଭିନ୍ନ ବିଚାରଧାରାର ସ୍ଵାଧୀନତା ସଂଗ୍ରାମୀମାନେ, ଗୋଟିଏ ମଞ୍ଚରେ ଆସି, ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏକଜୁଟ୍ ହୋଇଥିଲେ। ‘ସତ୍ୟାଗ୍ରହ’ ଓ ‘ଅହିଂସା’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ, ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏକ ଲମ୍ବା ଲଢେଇ ଚାଲିଥିଲା । ଏଥି ସହିତ ସମାନ୍ତରାଳ ଭାବେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶହିଦ ଭଗତ ସିଂ’ଙ୍କ ପରି ମହାନ କ୍ରାନ୍ତିକାରୀମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। କିନ୍ତୁ, ମୋଟାମୋଟି ଭାବେ ଏହି ସ୍ଵାଧୀନତା ସଂଗ୍ରାମର ମୁଖ୍ୟ ଆଧାର ଥିଲା ଅହିଂସା। ଫଳସ୍ବରୂପ, ୮୦ ବର୍ଷ ତଳେ, ଆଜିର ଦିନରେ ଆମ ଦେଶ ସ୍ଵାଧୀନ ହୋଇଥିଲା।

ଏହି ମହାସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ୍ ସ୍ଵତନ୍ତ୍ରତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର୍ ସବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡକ୍ଟର ବାବା ସାହେବ ଆମ୍ବେଦକର, ଡକ୍ଟର  ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୂର ଶାସ୍ତ୍ରୀ, ମୌଲାନା ଆଜାଦଙ୍କ ପରି ମହାନ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସହିତ ଲକ୍ଷ ଲକ୍ଷ ସଂଗ୍ରାମୀ ମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ଦେଶର ଅନ୍ୟାନ୍ୟ ରାଜ୍ୟ ପରି ଆମ ରାଜ୍ୟ ଓଡିଶା ମାଟିର ବୀର ସନ୍ତାନମାନେ ମଧ୍ୟ, ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ କରିଥିଲେ।

ଓଡିଶାର ଜନ ଆନ୍ଦୋଳନ ବିନା, ସ୍ଵାଧୀନତା ସଂଗ୍ରାମର କାହାଣୀ ଅକଳ୍ପନୀୟ। ରକ୍ତତୀର୍ଥ ଇରମ୍ , ଘୁମୁସର ବିଦ୍ରୋହ, ପ୍ରଜାମଣ୍ଡଳ ସଂଗ୍ରାମ, କନ୍ଧ ବିଦ୍ରୋହ, ସମ୍ବଲପୁର ବିଦ୍ରୋହ, କେନ୍ଦୁଝରର ଭୂୟାଁ ବିଦ୍ରୋହ, କୋରାପୁଟର ଆଦିବାସୀ ବିଦ୍ରୋହ ଆଦି, ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆହୁରି ଶାଣିତ କରିଥିଲା।ଏହି ସମସ୍ତ ଜନଜାତି ଆନ୍ଦୋଳନକାରୀ ମାନଙ୍କ ବୀରତ୍ଵ ଓ ବଳିଦାନ ସବୁଦିନ ପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସ୍ଵାଧୀନତା ପରବର୍ତ୍ତୀ କାଳରେ ଏ ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିଥିବା ପ୍ରତିରକ୍ଷା ବାହିନୀ ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀର ବୀର ଯବାନ ମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ସ୍ଵାଧୀନତା ସଂଗ୍ରାମକୁ କାଶ୍ମୀର’ରୁ କନ୍ୟାକୁମାରୀ, ଗୁଜୁରାଟ’ରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏକତାର ସୂତ୍ରରେ ବାନ୍ଧିଥିଲା, ଆମ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ ଏବଂ ଆମ ଜାତୀୟ ପତାକା ‘ତ୍ରିରଙ୍ଗା’। ଆଜି ପୁଣିଥରେ ବନ୍ଦେ ମାତରମ୍ ଏବଂ ତ୍ରିରଙ୍ଗାକୁ  ଘରେ ଘରେ ପହଞ୍ଚାଇବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ତାହା ଆଜି ଭାରତୀୟ ମାନଙ୍କ ମନରେ ଦେଶପ୍ରେମର ବହ୍ନିକୁ ପୁନଃ ପ୍ରଜ୍ଜ୍ଵଳନ କରିଛି। ସ୍ଵାଧୀନତା ପରବର୍ତ୍ତୀ କାଳରେ ଦେଶର ବିକାଶ ସବୁଠାରୁ ବଡ ଆହ୍ଵାନ ଥିଲା। ସବୁ ସରକାର ନିଜ ସାଧ୍ୟ ଓ ସାମର୍ଥ୍ୟ ମୁତାବକ ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଦେଇଥିଲେ। କିନ୍ତୁ, ସ୍ଵାଧୀନତାର ଅଠଷଠି ବର୍ଷରେ ବିକାଶର ଗତି ଯେତେ ଆଶାନୁରୂପ ହେବା କଥା, ତାହା ହୋଇ ପାରି ନ ଥିଲା। କିନ୍ତୁ, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଦେଶର ଶାସନ ଭାର ସମ୍ଭାଳିବା ପରେ, ନୂତନ ଭାରତର ନିର୍ମାଣ ଯଥାର୍ଥରେ ଆରମ୍ଭ ହୋଇଥିଲା।

୨୦୧୪ ମସିହାର ସ୍ଵାଧୀନତା ଦିବସ ସମ୍ବୋଧନରେ ‘ସ୍ଵଚ୍ଛ ଭାରତ’ର ନାରାରୁ ଆରମ୍ଭ ହୋଇଥିଲା ନୂତନ ଭାରତର ନିର୍ମାଣ। *ଏହି ବାର ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଦୂରଦର୍ଶୀ ନିଷ୍ପତ୍ତି ନେଇ ଦେଶକୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ, ବିଶ୍ଵର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ସେ ପ୍ରତିଷ୍ଠିତ କରିଛନ୍ତି। ଆଜିର ଭାରତ ହେଉଛି ଆତ୍ମବିଶ୍ଵାସ, ଆତ୍ମନିର୍ଭର ଓ ଆତ୍ମସମ୍ମାନରେ ଭରା ଭାରତ।* ଆମ ଦେଶର ଆତ୍ମା ହେଉଛନ୍ତି ଆମ ଦେଶର ନାଗରିକ। ସେମାନେ ତାଙ୍କର ଛୋଟ ଛୋଟ ସମସ୍ଯାର ଆଶୁ ନିରାକରଣ ଚାହାନ୍ତି। ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀ ପୂରଣ କରିବାରେ ସହାୟକ ହୋଇପାରିଛନ୍ତି ।

ଆଉ ଆଗ ପରି ରନ୍ଧନ ଗ୍ଯାସ ଏକ ବିଳାସ ପୂର୍ଣ୍ଣ ସାମଗ୍ରୀ ହୋଇ ରହିନାହିଁ, କି ଗ୍ଯାସ ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁ ନାହିଁ। ଆଜି ଦେଶର ଗରିବଙ୍କ ପାଖରେ ବ୍ଯାଙ୍କ ଖାତା ଅଛି, ଯେଉଁଥିରେ ବିନା ଲାଞ୍ଚ ଦେଇ ନିଜର ନ୍ୟାଯ୍ୟ ପ୍ରାପ୍ୟ ସରକାରଙ୍କ ଠାରୁ ପାଉଛନ୍ତି। ମାନନୀୟ ମୋଦୀଜୀଙ୍କ ଦୂରଦର୍ଶୀ ନୀତିର ସଫଳ ରୂପାୟନ ଯୋଗୁଁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ପାଇବା ଏବେ ଆଉ ସ୍ଵପ୍ନ ନୁହେଁ, ଏହା ଆଜି ବାସ୍ତବତାରେ ପରିଣତ ହୋଇଛି। ମୋଦୀଜୀଙ୍କ ନେତୃତ୍ଵରେ ଦେଶ ଆଜି ସୁରକ୍ଷିତ । ବାଲାକୋଟ ଏୟାର ଷ୍ଟ୍ରାଇକ୍ ଓ ‘ଅପରେସନ ସିନ୍ଦୁର’ ଏହାର ଜୀବନ୍ତ ପ୍ରମାଣ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଯୋଗୁ ଏହା ସମ୍ଭବ ହୋଇଥିଲା।

ଦେଶରେ ନିର୍ମିତ ହେଉଥିବା ଅଗ୍ନି, ବ୍ରହ୍ମୋସ୍, ଆକାଶ, ଡ୍ରୋନ୍ ପରି ବିଭିନ୍ନ ଅସ୍ତ୍ରଶସ୍ତ୍ର ବାହ୍ୟ ଶତ୍ରୁଙ୍କ ମନରେ ଭୟ ସଂଚାର କରିପାରିଛି। ଆପଣମାନେ ଜାଣିଥିବେ, କିଛିଦିନ ତଳେ ଭାରତର ଜେନ୍‌-ଜି ବର୍ଗର ବୈଜ୍ଞାନିକମାନେ ନିଜସ୍ଵ ଜ୍ଞାନ କୌଶଳରେ, ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତାର ସହିତ ରକେଟ୍ ଉତ୍‌କ୍ଷେପଣ କରି ଇତିହାସ ରଚିଛନ୍ତି ଓ ଦେଶ ପାଇଁ ଗୌରବ ଆଣିଛନ୍ତି।

ଏହାର ଅର୍ଥ ହେଉଛି *ଭାରତର ସାଧାରଣ ଲୋକ, ବିଶେଷକରି ଭାରତର ଯୁବଶକ୍ତି ପାଖରେ ଯେଉଁ ଶକ୍ତି ଓ ସାମର୍ଥ୍ୟ ଅଛି, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୃଢ ଓ ଦୂରଦର୍ଶୀ ନେତୃତ୍ୱ ମାଧ୍ୟମରେ ତାହାର ପୂର୍ଣ୍ଣ ଉପଯୋଗ ହେଉଛି । ଆମର ଯୁବଶକ୍ତି ହିଁ, ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ଦିଗରେ ମୁଖ୍ୟ ଯୋଦ୍ଧା ଭାବେ ନିଜକୁ ସାମିଲ କରିଛନ୍ତି ।*

ଗତ ବାର ବର୍ଷରେ ମୋଦୀଜୀଙ୍କ ନେତୃତ୍ଵରେ, ଦେଶ ଅନେକ ସଫଳତା ହାସଲ କରିଛି। କିନ୍ତୁ, ଏକ ଉଲ୍ଲେଖନୀୟ ସଫଳତା ହେଉଛି ରେଡ୍‌ ଟେରର୍’ର ପରିସମାପ୍ତି। ବାର ବର୍ଷ ତଳେ ଦେଶର ପ୍ରାୟ ଏକ ଚତୁର୍ଥାଂଶ ଜିଲ୍ଲା ଏହି ନକ୍ସଲ ଓ ମାଓ ହିଂସାରେ କବଳିତ ଥିଲା। କିନ୍ତୁ, ମାନନୀୟ  ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ସଠିକ୍ ମାର୍ଗଦର୍ଶନ ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଜୀଙ୍କ ଦକ୍ଷ ପରିଚାଳନା ଯୋଗୁଁ ଆଜି ରେଡ୍‌ ଟେରର୍ ଇତିହାସ ପାଲଟିଛି। ଏହି ପଦକ୍ଷେପର, ସୁଫଳର ଏକ ବଡ଼ ଅଂଶୀଦାର ହୋଇଛି, ଆମ ରାଜ୍ୟ ଓଡିଶା।ଗତ ଦୁଇ ବର୍ଷ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ସାଢେ ଚାରିକୋଟି ଜନସାଧାରଣଙ୍କ ଆଶୀର୍ବାଦରୁ ଆମ ସରକାର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟରତ। ଏଇ ଦୁଇ ବର୍ଷରେ ଆମ ସରକାର, ‘ସବ୍‍କା ସାଥ, ସବ୍‍କା ବିକାଶ, ସବ୍‍କା ବିଶ୍ବାସ ଓ ସବ୍‍କା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟରତ।

ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ଗଠନର ସବୁଠାରୁ ବଡ ପାଥେୟ ହେଉଛନ୍ତି ଏହାର ନାଗରିକ। ଆମ ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ନାଗରିକ ହେଉଛନ୍ତି ଜନଜାତି ସମ୍ପ୍ରଦାୟର ଓ ପ୍ରାୟ ୧୬ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି। ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା । ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ହେଉଛନ୍ତି କୃଷକ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକ। ଏହି ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ନ ହେଲେ, ସମୃଦ୍ଧ ଓଡିଶା କେବଳ ଏକ ପରିକଳ୍ପନାରେ ରହିଯିବ। ତେଣୁ, ଆମ ସରକାର ପ୍ରଥମ ଦିନରୁ ହିଁ ସମସ୍ତ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଆସୁଛନ୍ତି। ନାଗରିକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ପ୍ରତ୍ଯେକ ସରକାରଙ୍କ କର୍ତ୍ତବ୍ୟ। ସ୍ଵାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ରାଜ୍ୟର ସବୁ ଗାଁ କୁ ସଡକ, ବିଜୁଳି ଓ ପାନୀୟ ଜଳ ଯୋଗାଣ ହୋଇ ନ ପାରିବା, ନିଶ୍ଚିତ ଭାବେ ଏକ ଦୁଃଖଦ ବିଷୟ। ତେଣୁ, ଏହାକୁ ସୁଧାରିବା ପାଇଁ ଆମ ସରକାର ‘ମିଶନ ପାୱାର’ ଯୋଜନା ପ୍ରଣୟନ କରିଛନ୍ତି, ଯାହା ମାଧ୍ୟମରେ ଆସନ୍ତା ୨୦୨୭ ମସିହା ଶେଷ ସୁଦ୍ଧା, ସବୁ ଗାଁକୁ ଏହି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଜଣେ ସାଧାରଣ ଲୋକ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ହେଉଛି ସବୁଠାରୁ ବଡ ଆକାଂକ୍ଷା। କାରଣ ଗୋଟିଏ ପରିବାରର ଏକ ସିଂହ ଭାଗ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହୋଇଥାଏ। ଲୋକଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ଆମ ସରକାର ତାର ପ୍ରତିଶ୍ରୁତିକୁ ପାଳନ କରିଚାଲିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ‘କେଜି ରୁ ପିଜି’ ଶିକ୍ଷାକୁ ସଂପୂର୍ଣ୍ଣ ଭାବେ ନିଃଶୁଳ୍କ କରିବା ହେଉଛି ଏହାର ସବୁଠାରୁ ବଡ ଉଦାହରଣ। ଅର୍ଥାତ୍, ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ତଥା ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯାଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି।

ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଏଇ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆ ଯାଇଛି। ଆଗାମୀ ଦିନରେ ୪୫ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରଥମ ଥର ପାଇଁ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବିଦ୍ୟାଳୟ ଗୁଡ଼ିକରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା। ଏହା ସହିତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ଆଜି ଏହି ପବିତ୍ର ଅବସରରେ ମୁଁ ଘୋଷଣା କରୁଛି। ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ସହିତ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ – ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତଥା ରାଜ୍ୟ ସରକାରଙ୍କ ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାର ମିଳିତ କାର୍ଯ୍ୟକାରିତା ଯୋଗୁଁ ରାଜ୍ୟର ୩ କୋଟି ୭୦ ଲକ୍ଷ ଲୋକ ଅର୍ଥାତ ୮୦ ପ୍ରତିଶତ ଲୋକଙ୍କ ପାଇଁ ଦେଶର ପ୍ରତିଷ୍ଠିତ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବା, ଆଉ ସ୍ଵପ୍ନ ନୁହେଁ, ଏହା ବାସ୍ତବତାରେ ପରିଣତ ହୋଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାଜପୁର, ତାଳଚେର ଓ କନ୍ଧମାଳ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସହିତ ଆଉ ୪ଟି ନୂତନ ଓ ଆଧୁନିକ ମେଡିକାଲ କଲେଜ ଓ ୭ଟି ନର୍ସିଙ୍ଗ୍ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଏହା ସହିତ ରାଜ୍ୟରେ ୩ଟି ନୂତନ ଆୟୁର୍ବେଦିକ ଓ ୨ଟି ହୋମିଓପାଥିକ୍ ମେଡିକାଲ କଲେଜ ମଧ୍ୟ ଖୋଲାଯିବ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି ।