ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଭୂରାଜନୈତିକ ଉତ୍ତେଜନା ଏବେ ଆହୁରି ତୀବ୍ର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅତ୍ୟନ୍ତ ରଣନୈତିକ ସମୁଦ୍ରପଥକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଇବା ପରେ ଆରମ୍ଭ ହୋଇଛି ବିବାଦ। ଟ୍ରମ୍ପଙ୍କ ଏହି ଦାବିକୁ ଇରାନ ପକ୍ଷରୁ ମିଳିଛି ତୀବ୍ର ପ୍ରତିକ୍ରିୟା। ଇରାନର ସର୍ବୋଚ୍ଚ ସୁରକ୍ଷା ପରିଷଦର ନୂତନ ସଚିବ ମୋହସେନ ରେଜାଇ ଟ୍ରମ୍ପଙ୍କ ଘୋଷଣାକୁ ଖୋଲାଖୋଲି ଭାବେ ପରିହାସ କରିବା ସହ କଡ଼ା ସମାଲୋଚନା କରିଛନ୍ତି। ରେଜାଇ କହିଛନ୍ତି, ହର୍ମୁଜ୍ ପ୍ରଣାଳୀକୁ ପୁଣିଥରେ ଖୋଲିବାରେ ୱାଶିଂଟନର ବିଫଳତା ଏବଂ ଏହା ଉପରେ ନିଜର କର୍ତ୍ତୃତ୍ୱ ଦାବି କରିବା ମଧ୍ୟରେ ଥିବା ଦୂରତା ୭ ହଜାର ମାଇଲରୁ ମଧ୍ୟ ଅଧିକ।
ନିଜ ସୋସିଆଲ ମିଡିଆ ପୋଷ୍ଟରେ ରେଜାଇ ବିଶ୍ୱ ମାନଚିତ୍ରର ଏକ ଛବି ସେୟାର କରି ଟ୍ରମ୍ପଙ୍କ ଦାବିକୁ କଟାକ୍ଷ କରିଛନ୍ତି। ସେ ଲେଖିଛନ୍ତି—କିଛି ସ୍ୱପ୍ନ ବାସ୍ତବତାଠାରୁ ବହୁତ ଦୂରରେ ଥାଏ। ଏହା ସହିତ ପାରସ୍ୟ ଉପସାଗରରେ ଆମେରିକାର ପ୍ରଭାବ ଓ ପ୍ରାଧାନ୍ୟକୁ ନେଇ ମଧ୍ୟ ରେଜାଇ ତୀବ୍ର ଟିପ୍ପଣୀ କରିଛନ୍ତି। ତାଙ୍କ ମତରେ, ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ଏଭଳି ଦାବି ବାସ୍ତବତା ସହିତ ମେଳ ଖାଉନାହିଁ। ଅନ୍ୟପଟେ, ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏକ ବିବାଦୀୟ ମାନଚିତ୍ର ପୋଷ୍ଟ କରି ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଇଥିଲେ।
ଏହି ଦାବି ମାଧ୍ୟମରେ ଜଳପଥ ଉପରେ ଆମେରିକାର ନିୟନ୍ତ୍ରଣ ନେଇ ଟ୍ରମ୍ପଙ୍କ ପୂର୍ବରୁ ଦିଆଯାଇଥିବା କଡ଼ା ମନ୍ତବ୍ୟକୁ ମଧ୍ୟ ପୁଣିଥରେ ଚର୍ଚ୍ଚାକୁ ଆଣିଛି।ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଳପଥ ହୋଇଥିବାରୁ, ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ବୟାନବାଜି ଅନ୍ତର୍ଜାତୀୟ ରାଜନୀତିରେ ନୂଆ ଚିନ୍ତା ସୃଷ୍ଟି କରିଛି। ତେବେ ଟ୍ରମ୍ପଙ୍କ ଏହି ଦାବି କେବଳ ଏକ ରାଜନୈତିକ ମନ୍ତବ୍ୟ ନା ଏହା ପଛରେ ରହିଛି କୌଣସି ବଡ଼ ରଣନୀତି? ଏହାକୁ ନେଇ ଏବେ ସାରା ବିଶ୍ୱର ନଜର ହର୍ମୁଜ୍ ପ୍ରଣାଳୀ ଉପରେ।
