Odia News Portal

ନାବାଳିକା ଅପହରଣ : ବେଶ ବଦଳାଇ ବୁଲୁଥିଲା ଗଞ୍ଜଡିଆ ଅପହରଣକାରୀ, ମାଡିବସିଲା ପୋଲିସ୍

କଟକ ରେଳ ଷ୍ଟେସନରୁ ନିଖୋଜ ହୋଇଥିବା ୭ ବର୍ଷର ନାବାଳିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ଏହା ସହ ନାବାଳିକାକୁ ଅପହରଣ କରିଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଗତ ଅଗଷ୍ଟ ୨୯ ତାରିଖ ଦିନ ପ୍ରାୟ ୨:୩୦ ମିନିଟ୍ ସମୟରେ ଅନୁଗୁଳରୁ ଜଣେ ମହିଳା ତାଙ୍କ ୭ ବର୍ଷର ନାତୁଣୀ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଖାଦ୍ୟ ଆଣିବାକୁ ଯାଇ ଫେରିବା ବେଳକୁ ନାତୁଣୀ ନିଖୋଜ ଥିବା ସେ ଦେଖିବାକୁ ପାଇଥିଲେ ଏବଂ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ । ତେବେ କମିଶନରେଟ୍ ପୋଲିସ୍ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ନାବାଳିକାର ସନ୍ଧାନ ଦେଲେ ୨୫,୦୦୦ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଥିଲା । କଟକ, କାଠଯୋଡ଼ି, ବାଲିକୁଦା, ବାରଙ୍ଗ ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ସିସିଟିଭି ଫୁଟେଜ୍ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ପୋଲିସ୍ ଟିମ୍। RPFର ସହାୟତାରେ ଟ୍ରେନ୍ ରୁଟ୍ ଏବଂ ଯାତ୍ରୀଙ୍କ ଗତିବିଧି ଉପରେ ମଧ୍ୟ କଡ଼ା ନଜର ରଖାଯାଇଥିଲା ।ପୋଲିସକୁ ଚକମା ଦେବା ପାଇଁ ମଙ୍ଗଳାବାଗ ଅଞ୍ଚଳର ୫୨ ବର୍ଷୀୟ ଅଭିଯୁକ୍ତ ରାଜୁ ଓରଫ ରାଜକିଶୋର ରାଉତରାୟ ନିଜର ବେଶଭୂଷା ବଦଳାଇବା ସହ ନିଜ ଦାଢି ଓ ନିଶ କାଟି ଦେଇଥିଲା । ସେ ଲୁଚିବାକୁ ଚେଷ୍ଟା କରି ନିଜର ଠିକଣା ବାରମ୍ବାର ବଦଳାଉଥିଲା, କିନ୍ତୁ ବାଲିକୁଦା ରେଳ ଷ୍ଟେସନରେ ପୋଲିସ ହାତରେ ସେ ଧରାପଡିଥିଲା । ଅଭିଯୁକ୍ତକୁ ପଚରାଉଚରା ପରେ ଜଣାପଡ଼ିଥିଲା ଯେ ସେ ନାବାଳିକାକୁ ଖୋର୍ଦ୍ଧା ଆଡ଼କୁ ନେଇଯାଇଥିଲା । RPF ଟିମ୍ ଗୋଟିଏ ଦିନ ପୂର୍ବରୁ ଖୋର୍ଦ୍ଧାର କାଇପଦର ରେଳ ଷ୍ଟେସନରୁ ଜଣେ ଅଚିହ୍ନା ନାବାଳିକାକୁ ଉଦ୍ଧାର କରିଥିବା ବେଳେ, ଯାଞ୍ଚ ପରେ ସେହି ଝିଅଟି କଟକରୁ ନିଖୋଜ ହୋଇଥିବା ନାବାଳିକା ବୋଲି ସ୍ପଷ୍ଟ ହୋଇଥିଲା ।ତେବେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।