ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ମାସରେ ଆମେରିକା ଏବଂ କାନାଡା ଗସ୍ତରେ ଯାଇପାରନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜି-୨୦ ଶିଖର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବା ସହିତ କାନାଡା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା। ଆମେରିକାର ଫ୍ଲୋରିଡାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରମୁଖ ବିଶ୍ୱ ନେତାମାନେ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆତିଥ୍ୟରେ ଏହି ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ରହିଛି।ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି। ବୈଠକରେ ଭାରତ-ଆମେରିକା ବାଣିଜ୍ୟ, ପ୍ରତିରକ୍ଷା, ରଣନୈତିକ ସହଯୋଗ ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।
ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡା ଗସ୍ତରେ ଯିବାର ମଧ୍ୟ ସୂଚନା ମିଳିଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ଓ ଅର୍ଥନୈତିକ ସମ୍ପର୍କକୁ ନୂଆ ଦିଗ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ଶକ୍ତି ସମ୍ପଦ, ବାଣିଜ୍ୟ ଏବଂ ରଣନୈତିକ ସହଯୋଗ ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବଢ଼ାଇବା ନେଇ ଆଲୋଚନା ଚାଲିଛି। ତେବେ ମୋଦୀଙ୍କ ଏହି ଆମେରିକା ଓ କାନାଡା ଗସ୍ତ ଭାରତର ବିଦେଶ ନୀତି ଏବଂ ଦୁଇ ଦେଶ ସହ ଭାରତର ସମ୍ପର୍କ ପାଇଁ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ ସମୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ରଣନୈତିକ ସହଯୋଗ ନେଇ କେଉଁ ନୂଆ ନିଷ୍ପତ୍ତି ଆସୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।
